ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆଜି ବିଧାନସଭାର ସ୍ବତନ୍ତ୍ର ଅଧିବେଶନ । ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ବିଧାନସଭାକୁ ରଖାଯାଇଛି। ଏହାସହିତ ଲୋୟର ପିଏମ୍‌ଜିରେ ୧୪୪ ଧାରା ଜାରି କରାଯାଇଥିବାବେଳେ ବିଧାନସଭା ଭିତର ଏବଂ ବାହାରେ କଡ଼ା ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି। ବୁଧବାର ମଧ୍ୟାହ୍ନ ୧୨ଟାରେ ପୋଲିସ କମିଶନର ଏସ୍‌. ଦେବଦତ୍ତ ସିଂ ସୁରକ୍ଷା ବ୍ୟବସ୍ଥାର କଡ଼ାକଡ଼ି ଯାଞ୍ଚ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଏହି ସ୍ବତନ୍ତ୍ର ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଏଥିପାଇଁ ୩୦ ପ୍ଲାଟୁନ୍‌ ପୋଲିସ ଫୋର୍ସ ସହିତ ୧୦୦ ଅଫିସର ମୁତୟନ କରାଯିବ। ଏହାସହ ଷ୍ଟ୍ରାଇକିଂ ଫୋର୍ସ, ବୋମା ନିଷ୍କ୍ରିୟକାରୀ ଦଳ, ଡଗ୍‌ସ୍କ୍ବାଡ୍‌, ଅଗ୍ନିଶମ ବିଭାଗ ମଧ୍ୟ ସଜାଗ ରହିବେ। ଅଧିବେଶନ ଆରମ୍ଭ ପୂର୍ବରୁ ବିଧାନସଭା ଓ ଏହାର ଆଖପାଖ ଅଞ୍ଚଳକୁ ପୋଲିସ ଛାଉଣି କରାଯିବା ସହ ବ୍ୟାରିକେଡିଂ କରାଯାଇଛି। ବିଧାନସଭା ଭିତର ଏବଂ ବାହାରେ ସିସିଟିଭି ଫୁଟେଜ୍‌ ଯେଭଳି ସମ୍ବେଦନଶୀଳ ସ୍ଥାନଗୁଡ଼ିକ ଉପରେ ନଜର ରଖିପାରିବ ତାହାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ତେବେ ଗୃହରେ ପୂର୍ବାହ୍ନ ୧୧ଟାରେ ଗଣତନ୍ତ୍ରରେ ମହିଳାମାନଙ୍କ ଭୂମିକା ଶୀର୍ଷକ ଆଲୋଚନା ହେବ। ସରକାରୀ ଦଳ ପକ୍ଷରୁ ଏହି ମୋଶନ ଦିଆଯାଇଥିବାରୁ ଏହାକୁ ନେଇ ବିରୋଧୀ ଏବଂ ଶାସକ ଦଳ ପକ୍ଷରୁ ସଜବାଜ ଆରମ୍ଭ ହୋଇଯାଇଛି।