ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭଉଣୀ କଙ୍କାଳକୁ ଧରି ବ୍ୟାଙ୍କ ଭଉଣୀକୁ ଆସିବା ପରେ ସାରା ଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ଜିତୁ ମୁଣ୍ଡା । ଏହା ମଧ୍ୟରେ ଜିତୁ ମୁଣ୍ଡାଙ୍କୁ ମାସକର ଦରମା ଦେବେ ରାଜସ୍ଥାନର କୃଷିମନ୍ତ୍ରୀ କିରୋଡି ଲାଲ ମୀନା । ତେବେ ଏହି ଅଭାବନୀୟ ଘଟଣାକୁ ସଭ୍ୟ ସମାଜ ଉପରେ ଏକ ‘କଳଙ୍କ’ ବୋଲି ଅଭିହିତ କରିବା ସହ ମନ୍ତ୍ରୀ ପୀଡ଼ିତ ପରିବାରକୁ ନିଜର ଏକ ମାସର ଦରମା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି। ସେପଟେ କେନ୍ଦୁଝର ଜିଲା ପାଟଣା ବ୍ଲକ୍ ଏରେଣ୍ଡେଇ ପଞ୍ଚାୟତ ଡିଆନାଳି ଗ୍ରାମର ଜିତୁ ମୁଣ୍ଡା ନିଜ ଭଉଣୀଙ୍କ ମୃତ୍ୟୁ ପ୍ରମାଣ ଦେବା ପାଇଁ ତାଙ୍କର କଙ୍କାଳ ଧରି ପାଟଣା ଥାନା ଅନ୍ତର୍ଗତ ମଲ୍ଲିପଶି ଗ୍ରାମରେ ଥିବା ଓଡ଼ିଶା ଗ୍ରାମୀଣ ବ୍ୟାଙ୍କରେ ପହଞ୍ଚିଥିଲେ। ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ନିୟମ ଓ କାଗଜପତ୍ରର ଦ୍ୱାହି ଦେଇ ତାଙ୍କୁ ହଇରାଣ କରାଯାଇଥିବା ଅଭିଯୋଗ ହୋଇଛି। ବ୍ୟାଙ୍କରେ ସେ କଙ୍କାଳ ଧରି ପହଞ୍ଚତ୍ବାର ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଛି। ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ଏହି ଭିଡିଓ ଶେୟାର କରି ମନ୍ତ୍ରୀ ମୀନା କହିଛନ୍ତି, ଜିତୁ ମୁଣ୍ଡାଙ୍କ ଅସହାୟତା ଓ ଯନ୍ତ୍ରଣା ତାଙ୍କୁ ମର୍ମାହତ କରିଛି। ସରକାରୀ ପ୍ରକ୍ରିୟା ନଁାରେ ଜଣେ ଗରିବ ଆଦିବାସୀ ବ୍ୟକ୍ତିଙ୍କୁ ଏଭଳି ମାନସିକ ନିର୍ଯାତନା ଦେବା ଯେକୌଣସି ସଭ୍ୟ ସମାଜ ପାଇଁ ଏକ କଳଙ୍କ। ଏହି ମାମଲାରେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, ଜିତୁ ମୁଣ୍ଡାଙ୍କ ଦୁଃଖରେ ସେ ସହଭାଗୀ ଏବଂ ଏହି କଷ୍ଟ ସମୟରେ ତାଙ୍କ ସହ ଛିଡ଼ା ହେବା ତାଙ୍କର କର୍ତ୍ତବ୍ୟ। ଖୁବ୍ଶୀଘ୍ର ତାଙ୍କର ଏକ ମାସର ଦରମା ପୀଡ଼ିତଙ୍କ ପରିବାର ନିକଟକୁ ପଠାଇ ଦିଆଯିବ। ଭବିଷ୍ୟତରେ ଯେପରି କୌଣସି ଅସହାୟ ବ୍ୟକ୍ତିଙ୍କୁ ଏଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ନ ପଡ଼େ, ସେଥିପାଇଁ ସଜାଗ ରହିବା ସମସ୍ତଙ୍କର ସାମୂହିକ ଦାୟିତ୍ୱ ବୋଲି ସେ କହିଛନ୍ତି ।
