ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବରଗଡ଼ ଶିକ୍ଷା ବିଭାଗର ଉପରେ କଳଙ୍କ। ତେବେ ଜଣେ ମହିଳା CRCC ଙ୍କୁ ଅଶ୍ଳୀଳ ମେସେଜ୍ ପଠାଇବା ଓ ଯୌନ ନିର୍ଯାତନା ଦେବା ଭଳି ସଂଗୀନ ଅଭିଯୋଗରେ ବରଗଡ଼ ପୋଲିସ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଜିଲ୍ଲା ଶିକ୍ଷା ଅଧିକାରୀ (DEO) ଜ୍ୟୋତିକାନ୍ତ ସାହୁ, ବରଗଡ଼ ବ୍ଲକ୍ ଶିକ୍ଷା ଅଧିକାରୀ (BEO) ସୁରେନ୍ଦ୍ର ସାହୁ ଏବଂ ସତଲମା ସ୍କୁଲର ପିଇଟି ଶିକ୍ଷକ ସମୀର ପାଣିଗ୍ରାହୀଙ୍କୁ ଟାଉନ ପୋଲିସ ଗିରଫ କରିଛି। ଜିଲ୍ଲାର ଜଣେ ବରିଷ୍ଠ ଶିକ୍ଷା ପ୍ରଶାସକଙ୍କ ସମେତ ତିନିଜଣ ଏଭଳି ଲଜ୍ଜାଜନକ ଘଟଣାରେ ବନ୍ଧା ହେବା ଘଟଣା ସାରା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଛି। ସେପଟେ ମିଳିଥିବା ସୂଚନା ଅନୁଯାୟୀ, ବରଗଡ଼ ପୌରାଞ୍ଚଳର ଏକ କାର୍ଯ୍ୟରତ ଜଣେ ମହିଳା CRCC ଏହି ତିନିଜଣଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଥିଲେ।
ଅଭିଯୁକ୍ତମାନେ ତାଙ୍କୁ ଦୀର୍ଘ ଦିନ ଧରି ମାନସିକ ଚାପ ପ୍ରୟୋଗ କରିବା ସହ ବିଭିନ୍ନ ସମୟରେ ମୋବାଇଲ୍ ଫୋନ୍ ମାଧ୍ୟମରେ ଅଶ୍ଳୀଳ ବାର୍ତ୍ତା ପଠାଉଥିଲେ। CRCC ଜଣକ ଏହାର ପ୍ରତିବାଦ କରିବାରୁ ତାଙ୍କୁ ଚାକିରି କ୍ଷେତ୍ରରେ ହଇରାଣ ହେବାକୁ ପଡ଼ିବ ବୋଲି ଭୟ ମଧ୍ୟ ଦେଖାଯାଇଥିଲା। ଶେଷରେ ଧୈର୍ଯ୍ୟହରା ହୋଇ ପୀଡ଼ିତା ଜଣକ ପ୍ରଥମେ ଜିଲ୍ଲାପାଳଙ୍କ ନିକଟରେ ଗୁହାରି କରିଥିଲେ ଏବଂ ପରେ ଟାଉନ ଥାନାରେ ଲିଖିତ ଏତଲା ଦେଇଥିଲେ। ପୀଡିତାଙ୍କ ଏତଲାକୁ ଭିତ୍ତି କରି ଟାଉନ ପୋଲିସ ତନାଘନା ଆରମ୍ଭ କରିଥିଲା।
ଗତକାଲି ରାତିରେ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି DEO, BEO ଏବଂ PET ସାର୍ଙ୍କୁ ଉଠାଇ ଆଣିଥିଲା। ଥାନାରେ ଦୀର୍ଘ ସମୟ ଧରି ଜେରା କରିବା ପରେ ସେମାନଙ୍କ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ମିଳିଥିବାରୁ ପୋଲିସ ଆଜି ସେମାନଙ୍କୁ ଆନୁଷ୍ଠାନିକ ଭାବେ ଗିରଫ କରି କୋର୍ଟ ଚାଲାଣ କରିଛି। ବରଗଡ଼ ଜିଲ୍ଲାରେ ପୂର୍ବରୁ କେବେ ଏଭଳି ଉଚ୍ଚପଦସ୍ଥ ଶିକ୍ଷା ଅଧିକାରୀମାନେ ଯୌନ ନିର୍ଯାତନା ମାମଲାରେ ଜେଲ୍ ଯାଇନଥିଲେ। ଶିକ୍ଷାଦାନ ପରି ଏକ ପବିତ୍ର ବୃତ୍ତିକୁ ଅଭିଯୁକ୍ତମାନେ କଳୁଷିତ କରିଥିବା ନେଇ ସାଧାରଣରେ ଚର୍ଚ୍ଚା ହେଉଛି।
ପ୍ରଶାସନିକ ସ୍ତରରେ ମଧ୍ୟ ଏହି ଘଟଣାକୁ ଗୁରୁତର ସହ ନିଆଯାଇଛି। ଏହି ମାମଲାରେ ପୋଲିସ ତଦନ୍ତ ଜାରି ରଖିଛି। ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି କିମ୍ବା ପୂର୍ବରୁ ଏମାନେ ଅନ୍ୟ କାହାକୁ ଏଭଳି ନିର୍ଯାତନା ଦେଇଛନ୍ତି କି ନାହିଁ, ତାହାର ସବିଶେଷ ଯାଞ୍ଚ କରାଯାଉଛି। ଅନ୍ୟପଟେ, ଏହି ଘଟଣା ସାମ୍ନାକୁ ଆସିବା ପରେ ବରଗଡ଼ ସହର ସମେତ ସାରା ଜିଲ୍ଲାରେ ଶିକ୍ଷକ ଓ ଶିକ୍ଷୟତ୍ରୀ ସମାଜ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦୋଷୀମାନଙ୍କ ବିରୋଧରେ କଠୋର ଦଣ୍ଡବିଧାନ ପାଇଁ ଦାବି ଜୋର ଧରିଛି। ଏ ଘଟଣା ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର୍ ଧରୁଛି।
