ଭୁବନେଶ୍ୱର: ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ନେଇ ବିଧାନସଭାରେ ଗୁରୁତର ପ୍ରଶ୍ନ ଉଠିଛି। ବିଧାନସଭା ଆରମ୍ଭରେ ରାଜ୍ୟପାଳଙ୍କ ଅଭିଭାଷଣରେ ଶିକ୍ଷାର ସଫଳତା କଥା ଉଲ୍ଲେଖ ହୋଇଥିବା ବେଳେ, ତିନି ଦିନ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଲିଖିତ ଉତ୍ତରରେ ଆସିଥିବା ତଥ୍ୟ ଭିନ୍ନ ଚିତ୍ର ପ୍ରକାଶ କରିଛି। ୨୦୨୪-୨୫ ଶିକ୍ଷାବର୍ଷରେ ଡ୍ରପଆଉଟ୍ ହାର ୧୨ ପ୍ରତିଶତରୁ ବଢି ୧୫ ପ୍ରତିଶତକୁ ପହଞ୍ଚିଛି। ସବୁଠାରୁ ଅଧିକ ଡ୍ରପଆଉଟ୍ ନବମ ଓ ଦଶମ ଶ୍ରେଣୀରେ ଦେଖାଯାଇଛି। ଏହି ଦୁଇ ଶ୍ରେଣୀରେ ୧୫ ପ୍ରତିଶତ ଛାତ୍ରଛାତ୍ରୀ ପାଠ ଛାଡିଛନ୍ତି। ତହିଁରେ ୧୨.୫ପ୍ରତିଶତ ଝିଅ ଓ ୧୭.୩ ପ୍ରତିଶତ ପୁଅ ରହିଛନ୍ତି।
ଷଷ୍ଠରୁ ଅଷ୍ଟମ ଶ୍ରେଣୀରେ ଡ୍ରପଆଉଟ୍ ହାର ୩.୨ ପ୍ରତିଶତ ଥିବା ବେଳେ, ପ୍ରଥମରୁ ପଞ୍ଚମ ଶ୍ରେଣୀରେ ଏହା ୦.୭ପ୍ରତିଶତ ରହିଛି। ୨୦୨୦-୨୧ ରୁ ୨୦୨୩-୨୪ ପର୍ଯ୍ୟନ୍ତ ଡ୍ରପଆଉଟ୍ ହାର କ୍ରମାଗତ ଭାବେ କମିଥିଲେ ବି, ୨୦୨୪-୨୫ ରେ ପୁଣି ବୃଦ୍ଧି ପାଇଛି।
ଗୋଟିଏ କ୍ଲାସରୁମରେ ଚାଲିଛି ଏକାଧିକ ଶ୍ରେଣୀ
ଏହା ସହିତ ଅବସ୍ଥାପନା ଅଭାବ ମଧ୍ୟ ଚିନ୍ତାର କାରଣ ହୋଇଛି। କୋରାପୁଟ ଜିଲ୍ଲାରେ ୨୩୪ଟି ସ୍କୁଲରେ କ୍ଲାସରୁମ ଅଭାବ ଥିବା ବେଳେ, ରାୟଗଡ଼ା ଜିଲ୍ଲା ରେ ୨୦୯ଟି ସ୍କୁଲରେ ଗୋଟିଏ ରୁମରେ ଏକାଧିକ ଶ୍ରେଣୀ ଚାଲିଛି। ସମୁଦାୟ ରାଜ୍ୟରେ 1898ଟି ସ୍କୁଲରେ ମାତ୍ର ଗୋଟିଏ କ୍ଲାସରୁମ ଥିବା ତଥ୍ୟ ମଧ୍ୟ ମନ୍ତ୍ରୀଙ୍କ ଉତ୍ତରରେ ଉଲ୍ଲେଖ ହୋଇଛି।
ଏହି ପ୍ରସଙ୍ଗରେ ଉଭୟ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ୍ ପକ୍ଷରୁ ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଇଛି। ବିଜେଡି ବିଧାୟକ ସାରଦା ଜେନା ଓ କଂଗ୍ରେସ ବିଧାୟକ ପବିତ୍ର ସାଉଁଟା ସରକାରୀ ଯୋଜନାକୁ ବିଫଳ ବୋଲି ଅଭିଯୋଗ କରିଛନ୍ତି। ସେପଟେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି ଯେ ଡ୍ରପଆଉଟ୍ ରୋକିବା ପାଇଁ ଘରେ ଘରେ ସର୍ଭେ କରାଯାଉଛି ଓ ଅତିରିକ୍ତ କ୍ଲାସରୁମ ବ୍ୟବସ୍ଥା ହେବ।
ଶିକ୍ଷା ହେଉଛି ରାଜ୍ୟର ଭବିଷ୍ୟତ୍। ଡ୍ରପଆଉଟ୍ ବୃଦ୍ଧି ଓ ଅବସ୍ଥାପନା ଅଭାବକୁ ନେଇ ସରକାର ଓ ବିରୋଧୀ ମୁହାଁମୁହିଁ ହୋଇଥିବା ବେଳେ, ଏହାର ଦୀର୍ଘମିୟାଦୀ ପ୍ରଭାବ ନେଇ ଚିନ୍ତା ବଢୁଛି।





