ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମେ’ ରେ ରେକର୍ଡ ଭାଙ୍ଗିବ ବର୍ଷା। ସ୍ବାଭାବିକଠାରୁ ହେବ ଅଧିକ ବର୍ଷା। ତେବେ ଏନେଇ ଭାରତୀୟ ପାଣିପାଗ ବିଭାଗ (IMD) ପକ୍ଷରୁ ବଡ଼ ସୂଚନା ଦିଆଯାଇଛି। ପଶ୍ଚିମ ଏସିଆରୁ ଆରମ୍ଭ କରି ଉତ୍ତର-ପୂର୍ବ ଭାରତରେ କାଳବୈଶାଖୀ ଏବଂ ପ୍ରାକ୍-ମୌସୁମୀ ବର୍ଷା ଗ୍ରୀଷ୍ମ ପ୍ରବାହରୁ ବଡ଼ ଧରଣର ମୁକ୍ତି ମିଳିପାରେ। IMDର ପୂର୍ବାନୁମାନ ମେ, ମାସରେ ଦେଶରେ ସ୍ବାଭାବିକଠାରୁ ୧୧୦ ପ୍ରତିଶତ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଏଥିରେ ଉତ୍ତର ଏବଂ ଉତ୍ତର-ପଶ୍ଚିମ ଭାରତରେ ଭଲ ବର୍ଷା ହେବାକୁ ଥିବାବେଳେ ପୂର୍ବ ଏବଂ କେନ୍ଦ୍ରୀୟ ଭାରତରେ ବର୍ଷାର ପରିମାଣ କମ୍ ରହିବ। ଏପରିକି ମେ ୫ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ସହ ୪୦ରୁ ୬୦ କିମି ବେଗରେ ପବନ ବହିବା ଆଶଙ୍କା ରହିଛି ।
ସେପଟେ ପାଣିପାଗ ବିଭାଗ ସୂଚନା ମୁତାବକ, ୧୯୭୧ରୁ ୨୦୨୦ ପର୍ଯ୍ୟନ୍ତ ହାରାହାରି ୬୪.୧ ମିଲିମିଟର ତୁଳନାରେ ଚଳିତ ବର୍ଷ ଅଧିକ ବର୍ଷା ରେକର୍ଡ କରାଯାଇପାରେ। ମେ ୩ରୁ ୬ ତାରିଖ ମଧ୍ୟରେ ପୂର୍ବ ଉପକୂଳବର୍ତ୍ତୀ ରାଜ୍ୟ ଏବଂ ଉତ୍ତର ଭାରତ ଅଞ୍ଚଳରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ତେବେ ପଶ୍ଚିମବଙ୍ଗ, ସିକିମ ଏବଂ ଉତ୍ତର-ପୂର୍ବ ଭାରତର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରାଯାଇଛି।
