ଅବକାରୀ ଦୁର୍ନୀତି ମାମଲା; ଦୋଷମୁକ୍ତ ହେଲେ କେଜ୍ରିୱାଲ, CBIକୁ କୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ବଡ଼ ମୋଡ଼। ଦିଲ୍ଲୀର ରାଉଜ୍ ରେଭିନ୍ୟୁ କୋର୍ଟ କମ୍ପ୍ଲେକ୍ସ ସମସ୍ତ ୨୩ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରି ମାମଲା ବନ୍ଦ କରିଦେଇଛି। ଏହି ରାୟରେ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିସ ସିସୋଦିଆ ସମେତ ଅନ୍ୟାନ୍ୟ ଅଭିଯୁକ୍ତଙ୍କୁ ଅସ୍ବସ୍ତି ମିଳିଛି। ଏଥିସହିତ କୋର୍ଟ ସିବିଆଇକୁ ମଧ୍ୟ କଡା ଭର୍ତ୍ସନା କରିଛନ୍ତି

ସ୍ୱତନ୍ତ୍ର ବିଚାରପତି ଜିତେନ୍ଦ୍ର ସିଂହ ରାୟ ଦେଇ କହିଛନ୍ତି ଯେ, ତଦନ୍ତ କାର୍ଯ୍ୟରେ ଗୁରୁତର ତ୍ରୁଟି ରହିଛି ଓ ସିବିଆଇ ପକ୍ଷରୁ ଆଣାଯାଇଥିବା ଅଭିଯୋଗକୁ ସମର୍ଥନ କରିବା ପାଇଁ ବିଶ୍ୱସନୀୟ ପ୍ରମାଣ ଉପସ୍ଥାପିତ ହୋଇନାହିଁ। କୋର୍ଟ କହିଛି, ପ୍ରାଥମିକ ଦୃଷ୍ଟିକୋଣରୁ ମାମଲା ଗଢ଼ିଉଠିବା ପାଇଁ ଆବଶ୍ୟକ ଆଧାର ମିଳୁନାହିଁ ଓ ନିରପେକ୍ଷ ତଦନ୍ତର ଅଭାବ ଦେଖିବାକୁ ମିଳିଛି।
ଏହି ମାମଲା ୨୦୨୨-୨୩ ଦିଲ୍ଲୀ ଅବକାରୀ ନୀତି ସହ ଜଡିତ। ସିବିଆଇ ଓ ଇଡି ଅଭିଯୋଗ କରିଥିଲେ ଯେ ‘ସାଉଥ୍‌ ଗ୍ରୁପ୍‌’ ନାମକ ଏକ ଲବି ଠାରୁ ୧୦୦ କୋଟି ଟଙ୍କା ଲାଞ୍ଚ ଗ୍ରହଣ କରାଯାଇଥିଲା ଓ ବଦଳରେ ଲାଇସେନ୍ସ ଫିରେ ରିହାତି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗରେ ଆମ୍‌ ଆଦମୀ ପାର୍ଟିର ଅନେକ ନେତାଙ୍କୁ ଜେଲ ଯିବାକୁ ପଡ଼ିଥିଲା। ଅରବିନ୍ଦ କେଜ୍ରିୱାଲ ପ୍ରାୟ ୬ ମାସ ଜେଲରେ ରହିଥିଲେ।
କୋର୍ଟର ରାୟ ପରେ ଆଜି ଅରବିନ୍ଦ କେଜ୍ରିୱାଲ ଭାବବିହ୍ୱଳ ହୋଇ ପଡ଼ିଥିଲେ। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ ସେ ଏହି ମାମଲାକୁ ଦେଶର ସବୁଠାରୁ ବଡ଼ ରାଜନୈତିକ ଷଡଯନ୍ତ୍ର ବୋଲି ଅଭିହିତ କରି ନରେନ୍ଦ୍ର ମୋଦୀ ଓ ଅମିତ୍ ଶାହା ଙ୍କୁ ତୀବ୍ର ସମାଲୋଚନା କରିଥିଲେ। ସେ କହିଥିଲେ ଯେ, ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ସରକାରକୁ କ୍ଷମତାଚ୍ୟୁତ କରିବା ପାଇଁ ଏହି ଷଡଯନ୍ତ୍ର ରଚିତ ହୋଇଥିଲା।
ଏହି ରାୟ ଦେଶର ରାଜନୈତିକ ପରିସ୍ଥିତିରେ ନୂଆ ଚର୍ଚ୍ଚାକୁ ଜନ୍ମ ଦେଇଛି। ଆଗାମୀ ଦିନରେ ଏହାର ରାଜନୈତିକ ପ୍ରଭାବ କେତେ ଦୂର ପର୍ଯ୍ୟନ୍ତ ପହଞ୍ଚିବ, ସେଥିପାଇଁ ସମସ୍ତଙ୍କ ନଜର ରହିଛି।

Related Posts