ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସଶକ୍ତ ହେବ ଓଡ଼ିଶା । ଗୁଜରାଟରେ ଦେଶର ପ୍ରମୁଖ ୨୬ ଶିଳ୍ପପତିଙ୍କ ସହ ଆଲୋଚନା କରି ନିବେଶ ପାଇଁ ଡାକିଲେ ମୁଖ୍ୟମନ୍ତ୍ରୀ । ତେବେ ଗୁଜରାଟର ଅହମଦାବାଦରେ ଆୟୋଜିତ ନିବେଶକ ସମ୍ମିଳନୀକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ପୂର୍ବ ଭାରତକୁ ସଶକ୍ତ କରିବାକୁ ଓଡ଼ିଶା ପ୍ରସ୍ତୁତ ରହିଛି । ଏହା ସହ ଆଗକୁ ବଢ଼ିବାକୁ ଚାହୁଁଥିବା ଶିଳ୍ପ ପାଇଁ ଓଡ଼ିଶା କେବଳ ସୁଯୋଗ ନୁହେଁ, ବରଂ ଦୀର୍ଘକାଳୀନ ପ୍ରତିଯୋଗିତାପୂର୍ଣ୍ଣ ଲାଭ ପ୍ରଦାନ କରିବ। ଦେଶର ଶିଳ୍ପ ଅଭିବୃଦ୍ଧିର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଓଡ଼ିଶା ପ୍ରସ୍ତୁତ ରହିଛି।
ଆମେ ଏକ ଭବିଷ୍ୟତଧର୍ମୀ ଶିଳ୍ପ ବ୍ୟବସ୍ଥା ବିକାଶ କରୁଥିବାରୁ ସୁଯୋଗ ସନ୍ଧାନ, ନିବେଶ ଓ ଆମ ସହ ଆଗକୁ ବଢ଼ିବା ପାଇଁ ଆପଣମାନଙ୍କୁ ଆମନ୍ତ୍ରଣ କରୁଛୁ ବୋଲି ଉପସ୍ଥିତ ୫୦୦ରୁ ଅଧିକ ନିବେଶକଙ୍କୁ ମୁଖ୍ୟମନ୍ତ୍ରୀ କହିଥିଲେ। ସେପଟେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଜିଠାରୁ ତିନିଦିନିଆ ଗୁଜରାଟ ଗସ୍ତ ଆରମ୍ଭ କରିଛନ୍ତି। ଅହମଦାବାଦରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା।
ରୋଡ୍ ସୋ’ ପରେ ସେ ଦେଶର ୨୬ ଜଣ ପ୍ରମୁଖ ଶିଳ୍ପପତିଙ୍କୁ ଭେଟି ପ୍ରତ୍ୟକ୍ଷ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କୁ ଆଦାନୀ ପୋର୍ଟସ୍ ଆଣ୍ଡ୍ ଏସ୍ଇଜେଡ୍ର ପରିଚାଳନା ନିର୍ଦ୍ଦେଶକ କରନ୍ ଆଦାନୀ, ୱାରି ଏନର୍ଜିର ହିତେଶ ଦୋଶୀ, ରତ୍ନମଣି ମେଟାଲ୍ସ ଆଣ୍ଡ୍ ଟ୍ୟୁବ୍ସର ସିଏମ୍ଡି ପ୍ରକାଶ ସାଂଘଭି, ଅସାହି ସଙ୍ଗୱନ୍ କଲର୍ସ ଲିମିଟେଡ୍ର ଏମ୍ଡି ଓ ସିଇଓ ଗୋକୁଳ ଜୟକୃଷ୍ଣ, ଅତୁଲ ଲିମିଟେଡ୍ର ନିସ୍ଥା ଲାଲଭାଇ, ନିର୍ମା ଲିମିଟେଡ୍ର କର୍ସନ୍ଭାଇ ପଟେଲ, ଆର୍ଏମ୍ଟିଏଲ୍ର ପ୍ରକାଶ ସାଂଘଭି ଓ ବୋରୋସିଲ୍ ଲିମିଟେଡ୍ର ସିଇଓ ମେଲ୍ୱିନ ମୋସେସ୍ ସାକ୍ଷାତ କରିଥିଲେ।
