ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ତାମିଲନାଡୁ ରାଜନୀତିକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏହା ମଧ୍ୟରେ ଟିଭିକେ ସବୁଠୁ ବଡ଼ ଦଳ ଭାବେ ହୋଇଥିବାବେଳେ ସରକାର ଗଠନ ପାଇଁ ଜୋରଦାର୍‌ କସରତ ଆରମ୍ଭ କରିଦେଇଛି। ଟିଭିକେ ସରକାର ଗଠନ ପାଇଁ କଂଗ୍ରେସଠାରୁ ସମର୍ଥନ ମାଗିଥିବାବେଳେ କଂଗ୍ରେସ ମଧ୍ୟ କିଛି ସର୍ତ୍ତ ସହିତ ଏଥିରେ ରାଜି ହୋଇଛି। ଟିଭିକେକୁ ସମର୍ଥନ ଦେବାକୁ ନେଇ କଂଗ୍ରେସ ପାର୍ଟିକୁ ପୁରୁଣା ସହଯୋଗୀ ଡିଏମ୍‌କେ ତୀବ୍ର ସମାଲୋଚନା କରିଛି। କଂଗ୍ରେସ ପଛରୁ ଛୁରାଘାତ କରିଥିବା ଡିଏମ୍‌କେ କହିଛି। ଡିଏମ୍‌କେ ପ୍ରବକ୍ତା ସରବନାନ ଅନ୍ନାଦୁରାଇ କହିଛନ୍ତି କଂଗ୍ରେସର ୫ଟି ଆସନ ମଧ୍ୟ ବିଦାୟୀ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନଙ୍କ ଯୋଗୁ ସମ୍ଭବ ହୋଇପାରିଛି ବୋଲି କହିଛନ୍ତି ।

ସେପଟେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ କରି ଅନ୍ନାଦୁରାଇ ଆହୁରି ମଧ୍ୟ ମନେ ପାକଇ ଦେଇଛନ୍ତି ଯେ, ବିଜେପି ଓ ଆର୍‌ଏସ୍‌ଏସ୍‌ ଯେତେବେଳେ ରାହୁଲ ଗାନ୍ଧୀଙ୍କୁ ‘ପପ୍ପୁ’ କହି ଟ୍ରୋଲ କରୁଥିଲା ସେତେବେଳେ ଷ୍ଟାଲିନ୍‌ ହିଁ ତାଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପନ କରିଥିଲେ। ଆନ୍ନାଦୁରାଇଙ୍କ ଏପରି ମନ୍ତବ୍ୟ କଂଗ୍ରେସ ମହାସଚିବ କେସି ବେଣୁଗୋପାଳଙ୍କ ପୋଷ୍ଟ ପରେ ଆସିଛି। ବେଣୁଗୋପାଳ ଟିଭିକେର ପ୍ରସ୍ତାବ ଉପରେ ନିଷ୍ପତ୍ତି ତାମିଲନାଡ଼ୁ କଂଗ୍ରେସ ରାଜ୍ୟ ଶାଖା ଉପରେ ଛାଡ଼ିଥିଲେ। ସୂତ୍ର ଅନୁଯାୟୀ କଂଗ୍ରେସ ତାମିଲନାଡ଼ୁ ରାଜ୍ୟ ଶାଖା ବିଜୟଙ୍କ ଟିଭିକେ ସହିତ ମେଣ୍ଟ କରିବାକୁ ରାଜି ହୋଇଛି।

୨୩୪ ଆସନ ବିଶିଷ୍ଟ ତାମିଲନାଡ଼ୁ ବିଧାନସଭାରେ ଦୁଇ ବର୍ଷ ପୁରୁଣା ବିଜୟଙ୍କ ତାମିଲାଗା ଭେଟ୍ଟ୍ରି କାଝାଗମ (ଟିଭିକେ) ସବୁଠୁ ଅଧିକ ୧୦୮ ଆସନ ଜିତିଥିବାବେଳେ ଏହାର ସଂଖ୍ୟା ଗରିଷ୍ଠତା ହାସଲରୁ ୧୧ ଟି ଆସନ ପଛରେ ରହୁଛି। କଂଗ୍ରେସ ୫ଟି ଆସନ ପାଇଥିବାବେଳେ ଡିଏମକେ ମେଣ୍ଟରେ ଥିବା ଭିସିକେ, ସିପିଆଇ (ଏମ୍‌) ଓ ଆଇୟୁଏମ୍‌ଏଲ୍‌ ପ୍ରତ୍ୟେକ ଦୁଇଟି ଲେଖାଏଁ ଆସନ ଜିତିଛନ୍ତି। ବିଜୟ କଂଗ୍ରେସ ସମେତ ଏହି ଦଳଗୁଡ଼ିକ ସହିତ ସରକାର ଗଠନ ପାଇଁ ଆଲୋଚନା କରୁଛନ୍ତି।