ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦିଲ୍ଲୀ ଯାଉଥିବା ସମୟରେ ଇଣ୍ଡିଗୋ ବିମାନରେ ମହୁଆ ଓ ଟିଏମ୍‌ସି ବିରୋଧରେ ନାରାବାଜି । ତେବେ ତୃଣମୂଳ କଂଗ୍ରେସ ଲୋକସଭା ସାଂସଦ ମହୁଆ ମୋଇତ୍ରା ଅଭିଯୋଗ କରିଛନ୍ତି ଯେ, ପ୍ରତିରକ୍ଷା ସଂସଦୀୟ ସ୍ଥାୟୀ କମିଟିର ବୈଠକ ପାଇଁ ସେ ଦିଲ୍ଲୀ ଯାଉଥିବା ସମୟରେ ଇଣ୍ଡିଗୋ ବିମାନରେ ୪-୬ ଲୋକ ଗୋଷ୍ଠୀ ହୋଇ ତାଙ୍କ ବିରୋଧରେ ନାରାବାଜି କରିଥିଲେ। ତାଙ୍କୁ ଓ ତାଙ୍କ ଦଳ ଟିଏମ୍‌ସି ତଥା ମମତା ବାନାର୍ଜୀଙ୍କୁ ଚୋର ବୋଲି କହିଥିଲେ।

ଏନେଇ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ନିକଟରେ ସେ ଆନୁଷ୍ଠାନିକ ଭାବେ ଅଭିଯୋଗ ଦାଖଲ କରି କହିଛନ୍ତି। ସେପଟେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏକ ପୋଷ୍ଟ କରି ଟିଏମ୍‌ସି ନେତ୍ରୀ ଲେଖିଛନ୍ତି ଯେ, ଇଣ୍ଡିଗୋ ବିମାନ ୬ଇ୭୧୯ରେ ଏହି ଘଟଣା ଘଟିଥିଲା। ବିମାନ ଅବତରଣ କରିବା ପରେ ଓ ବିମାନର ଦ୍ବାରା ଖୋଲା ଯିବା ପୂର୍ବରୁ କିଛି ଲୋକ ତାଙ୍କ ବିରୋଧରେ ନାରାବାଜି କରିଥିଲେ।

ଏହି ଘଟଣାକୁ ସେମାନେ ନିଜ ମୋବାଇଲ ଫୋନରେ ମଧ୍ୟ ରେକର୍ଡ଼ କରିଥିଲେ। ସେମାନେ ତାଙ୍କୁ ଚୋର କହିବା ସହିତ ଟିଏମ୍‌ସି, ମମତା ବାନାର୍ଜୀ ଓ ତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ଚୋର ବୋଲି କହିଥିଲେ। ବିମାନରେ ତାଙ୍କ ସୁରକ୍ଷା ନେଇ ପ୍ରଶ୍ନ ଉଠାଇ ମହୁଆ ଏହାକୁ ବିଜେପିର ସଂସ୍କୃତି ବୋଲି କହିଥିଲେ। ମହୁଆ ଆହୁରି କହିଥିଲେ, ପ୍ରଥମେ ସେ ଏପରି ଘଟଣାକୁ ଅଣଦେଖା କରି ସଂସଦୀୟ ବୈଠକରେ ଯୋଗ ଦେଇଥିଲେ। କିନ୍ତୁ ଅନଲାଇନରେ ପରେ ସେହି ଭିଡିଓ ଦେଖିବା ପରେ ସେ ଏ ସମ୍ପର୍କରେ ଅଭିଯୋଗ କରିବାକୁ ନିଷ୍ପତ୍ତି ନେଇଥିଲେ।