ନୂଆଦିଲ୍ଲୀ: ୟୁପିଏସ୍ସି ସିଭିଲ୍ ସର୍ଭିସେସ୍ ପରୀକ୍ଷା–୨୦୨୫ର ଚୂଡ଼ାନ୍ତ ଫଳାଫଳ ପ୍ରକାଶ କରିଛି। ଏଥିରେ ଅନୁଜ ଅଗ୍ନିହୋତ୍ରି ପ୍ରଥମ ସ୍ଥାନ ଅଧିକାର କରି ଟପ୍ପର ହୋଇଛନ୍ତି। ଦ୍ୱିତୀୟ ସ୍ଥାନରେ ରାଜେଶ୍ୱରୀ ଶୁଭେ, ତୃତୀୟରେ ଆକାଂକ୍ଷା ଧୂଲ୍, ଚତୁର୍ଥରେ ରାଘବ ଝୁନଝୁନୱାଲା, ପଞ୍ଚମରେ ଇଶାନ ଭଟନାଗର ଏବଂ ଷଷ୍ଠ ସ୍ଥାନରେ ଜିନିଆ ଆରୋରାରହିଛନ୍ତି।ୟୁପିଏସ୍ସି ସୂଚନା ଅନୁସାରେ, ଲିଖିତ ପରୀକ୍ଷା ଓ ବ୍ୟକ୍ତିତ୍ୱ ପରୀକ୍ଷା (ସାକ୍ଷାତ୍କାର)ରେ ପ୍ରାର୍ଥୀମାନଙ୍କ ପ୍ରଦର୍ଶନ ଆଧାରରେ ଏହି ଚୂଡ଼ାନ୍ତ ମେରିଟ୍ ତାଲିକା ପ୍ରସ୍ତୁତ କରାଯାଇଛି। ସିଭିଲ୍ ସର୍ଭିସେସ୍ ପରୀକ୍ଷା ୨୦୨୫ ପାଇଁ ସାକ୍ଷାତ୍କାର ପ୍ରକ୍ରିୟା ୨୦୨୬ ଫେବୃଆରି ୨୭ରେ ସମାପ୍ତ ହୋଇଥିଲା।ଏହି ପରୀକ୍ଷାରେ ମୋଟ ୯୫୮ ଜଣ ପ୍ରାର୍ଥୀ ଚୟନିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସାଧାରଣ ବର୍ଗର ୩୧୫, ଇଡବ୍ଲୁଏସ୍ ବର୍ଗର ୧୦୪, ଓବିସି ବର୍ଗର ୩୦୬, ଏସ୍ସି ବର୍ଗର ୧୫୮ ଏବଂ ଏସ୍ଟି ବର୍ଗର ୭୩ ଜଣ ପ୍ରାର୍ଥୀ ରହିଛନ୍ତି। ପ୍ରାର୍ଥୀମାନେ ଆୟୋଗର ଅଧିକୃତ ୱେବ୍ସାଇଟ୍ରୁ ମେରିଟ୍ ତାଲିକା ଓ ନିଜ ଫଳାଫଳ ଯାଞ୍ଚ କରିପାରିବେ।ସିଭିଲ୍ ସର୍ଭିସ୍ ପରୀକ୍ଷାକୁ ବିଶ୍ୱର ସବୁଠାରୁ କଠିନ ପ୍ରତିଯୋଗିତାମୂଳକ ପରୀକ୍ଷାମାନଙ୍କ ମଧ୍ୟରୁ ଗଣାଯାଏ। ପ୍ରତିବର୍ଷ ଲକ୍ଷାଧିକ ପ୍ରାର୍ଥୀ ଏହି ପରୀକ୍ଷା ଦେଇଥାନ୍ତି। ପ୍ରିଲିମିନାରୀ, ମୁଖ୍ୟ ପରୀକ୍ଷା ଓ ସାକ୍ଷାତ୍କାର ଭଳି ତିନୋଟି ପର୍ଯ୍ୟାୟ ଅତିକ୍ରମ କରିଥିବା ପ୍ରାର୍ଥୀମାନେ ଚୂଡ଼ାନ୍ତ ତାଲିକାରେ ସ୍ଥାନ ପାଇଥାନ୍ତି।ଏହି ପରୀକ୍ଷା ମାଧ୍ୟମରେ ଆଇଏଏସ୍, ଆଇପିଏସ୍, ଆଇଏଫ୍ଏସ୍, ଆଇଆରଏସ୍ ସହ ଅନ୍ୟାନ୍ୟ ଗ୍ରୁପ୍–ଏ ଓ ଗ୍ରୁପ୍–ବି କେନ୍ଦ୍ରୀୟ ସେବାରେ ପ୍ରାର୍ଥୀମାନେ ନିଯୁକ୍ତି ପାଇଥାନ୍ତି।ୟୁପିଏସ୍ସି ସୂଚନା ଅନୁସାରେ, ସିଭିଲ୍ ସର୍ଭିସ୍ ପରୀକ୍ଷା–୨୦୨୫ ମାଧ୍ୟମରେ ମୋଟ ୯୭୯ଟି ପଦବୀ ପୂରଣ କରାଯିବ। ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପରେ ୧୫ ଦିନ ମଧ୍ୟରେ ପ୍ରାର୍ଥୀମାନଙ୍କ ମାର୍କସିଟ୍ ଆୟୋଗର ୱେବ୍ସାଇଟ୍ରେ ଅପଲୋଡ୍ କରାଯିବ ବୋଲି କୁହାଯାଇଛି।





