ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଭୁବନେଶ୍ୱର ବାଲିଅନ୍ତା ଅଞ୍ଚଳରେ ଘଟିଥିବା ଭିଡ଼ ହତ୍ୟା(ମବ୍ ଲିଞ୍ଚିଙ୍ଗ୍) ଘଟଣାକୁ ନେଇ ଅତ୍ୟନ୍ତ କ୍ଷୁବ୍ଧ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ଅମାନୁଷିକ କାଣ୍ଡର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚକୁ ଦାୟିତ୍ୱ ଦେଇଥିବା ବେଳେ ପୋଲିସ ପ୍ରଶାସନକୁ କଡ଼ା ଚେତାବନୀ ଦେଇଛନ୍ତି।

ଶନିବାର ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହାର ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇଛି। ଦୋଷୀମାନଙ୍କ ବିରୁଦ୍ଧରେ ଦୃଢ଼ରୁ ଦୃଢ଼ତମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।

ରାଜ୍ୟରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନହୁଏ, ସେଥିପାଇଁ ପୋଲିସ ମହାନିର୍ଦ୍ଦେଶକଙ୍କୁ ସଜାଗ ରହିବାକୁ ମୁଖ୍ୟମନ୍ତ୍ରୀ ତାଗିଦ୍ କରିଛନ୍ତି। ପୋଲିସକୁ କଠୋର ହେବା ସହ ଆଇନ ଶୃଙ୍ଖଳା ପ୍ରତି ଅବହେଳା ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହି ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଶ୍ରୀ ପ୍ରକାଶ ମିଶ୍ର, ମୁଖ୍ୟଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା, ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ.ବି ଖୁରାନିଆ, ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର, ଗୁଇନ୍ଦା ନିର୍ଦ୍ଦେଶକ ଶ୍ରୀ ଆର.ପି. କୋଚ୍ଚେ, ଅତିରିକ୍ତ ମହାନିର୍ଦ୍ଦେଶକ ଆଇନ ଶୃଙ୍ଖଳା ଶ୍ରୀ ସଞ୍ଜୟ କୁମାର, ଏ.ଡି.ଜି କ୍ରାଇମବ୍ରାଞ୍ଚ୍ ଶ୍ରୀ ବିନୟତୋଷ ମିଶ୍ର, ପୋଲିସ କମିଶନର ଶ୍ରୀ ଏସ. ଦେବଦତ୍ତ ସିଂହ ଏବଂ ଡ଼ି.ସି.ପି ଶ୍ରୀ ଜଗମୋହନ ମୀନା ପ୍ରମୁଖ ଉପସ୍ଥିତ ଥିଲେ।