ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ଭଉଣୀକୁ ନ୍ୟାୟ ଦେବାକୁ ସାଇକେଲରେ ମୃତଦେହ ବୋହି ଥାନାକୁ ନେଲା ଭାଇ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ହରିପୁର ଗ୍ରାମରେ । ତେବେ ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ ହରିପୁର ଗାଁରେ ଘର ଛାତପକା ସହ ଜମିବାଡି ବିବାଦକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳ ଫଳରେ ମାନସ ଜେନାଙ୍କ ପରିବାର ଲୋକ ସୁରେନ୍ଦ୍ର ସେଠୀଙ୍କ ପରିବାର ଲୋକଙ୍କୁ କଟୁରୀରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ସୁରେନ୍ଦ୍ରଙ୍କର ଭଉଣୀ କମଳା ସେଠୀଙ୍କର ମୃତ୍ୟୁ ହୋଇଥିବା ବେଳେ ଶକୁନ୍ତଳା ଗୁରୁତର ଅବସ୍ଥାରେ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।
ଗତ ୧୦ ତାରିଖରେ କମଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଖଇରା ପୋଲିସ ଜଣଙ୍କୁ ଅଟକ ରଖି ତଦନ୍ତ କରୁଥିବା ବେଳେ ଅନ୍ୟ ଆକ୍ରମଣକାରୀଙ୍କୁ ଗିରଫ ଦାବି କରିଛନ୍ତି କମଳାଙ୍କ ପରିବାର ଲୋକ । ନିଜ ଗାଁ ହରିପୁର ଠାରୁ ଦୀର୍ଘ ୧୫ କି.ମି. ରାସ୍ତା ସାଇକେଲରେ କମଳାଙ୍କ ମୃତଦେହ ବାନ୍ଧି ଖଇରା ଥାନା ପର୍ଯ୍ୟନ୍ତ ଆଣିଥିଲେ । ସାଇକେଲରେ ମୃତଦେହ ବୁହାଇବା ଘଟଣା ବେଶ୍ ହୃଦୟ ବିଦାରକ । ଏଭଳି ଘଟଣା ଦେଖି ଖଇରା ପୋଲିସ ରାସ୍ତାକୁ ଯାଇ ମୃତଦେହ ଆମ୍ବୁଲାନ୍ସରେ ନେବା ପାଇଁ ପରିବାର ଲୋକଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ପରିବାର ଲୋକ ତାଙ୍କ ଜିଦ୍ରେ ଅଟଳ ଥିଲେ ।
