ସତ୍ୟପାଠ ବ୍ୟୁରୋ :12/05/2026: ଦେଶର ସବୁଠାରୁ ବଡ଼ ମେଡିକାଲ ପ୍ରବେଶିକା ପରୀକ୍ଷା ‘ନିଟ୍-ୟୁଜି’ (NEET-UG) କୁ ନେଇ ସୃଷ୍ଟି ହୋଇଥିବା ବିବାଦ ଏବେ ଉଗ୍ର ରୂପ ଧାରଣ କରିଛି। ପ୍ରଶ୍ନପତ୍ର ଲିକ୍ ଏବଂ ପରୀକ୍ଷା ପରିଚାଳନାରେ ବ୍ୟାପକ ଅନିୟମିତତା ଅଭିଯୋଗ ଆସିବା ପରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଓ ଜାତୀୟ ପରୀକ୍ଷା ସଂସ୍ଥା (NTA) ଏବେ ସନ୍ଦେହ ଘେରରେ। ଲକ୍ଷ ଲକ୍ଷ ପରୀକ୍ଷାର୍ଥୀଙ୍କ ଭବିଷ୍ୟତକୁ ନେଇ ସାରା ଦେଶରେ ଉଦ୍ବେଗ ପ୍ରକାଶ ପାଉଥିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୀରବତା ଏବଂ ପ୍ରଶ୍ନକୁ ଏଡ଼ାଇ ଯିବା ଶୈଳୀ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଶ୍ରୀ ପ୍ରଧାନଙ୍କୁ ପରୀକ୍ଷା ବିଭ୍ରାଟ ସମ୍ପର୍କରେ ପ୍ରଶ୍ନ କରାଯାଇଥିଲା। ବିଶେଷ କରି ପରୀକ୍ଷା ବାତିଲ ହେବା ପରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ଅସନ୍ତୋଷ ଏବଂ ସରକାରଙ୍କ ଆଗାମୀ ପଦକ୍ଷେପ ବିଷୟରେ ଗଣମାଧ୍ୟମ ପ୍ରତିନିଧିମାନେ ଜାଣିବାକୁ ଚାହିଁଥିଲେ। ମାତ୍ର ମନ୍ତ୍ରୀ କୌଣସି ଉତ୍ତର ନଦେଇ କେବଳ ମୌନ ରହି ସେଠାରୁ ପ୍ରସ୍ଥାନ କରିଥିଲେ। ଏହି ଘଟଣା ଏବେ ବିରୋଧୀଙ୍କୁ ଆୟୁଧ ଯୋଗାଇଛି।
ଅନ୍ୟପକ୍ଷରେ, ପରୀକ୍ଷାରେ ଜାଲିଆତିର ଗନ୍ଧ ବାରି ସରକାର ଏହି ମାମଲାର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। NTA ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ, ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତା ଓ ବିଶ୍ୱସନୀୟତା ରକ୍ଷା କରିବା ପାଇଁ ପରୀକ୍ଷା ବାତିଲ କରିବା ଅପରିହାର୍ଯ୍ୟ ଥିଲା। କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାମାନଙ୍କ ପକ୍ଷରୁ ମିଳିଥିବା ଗୁପ୍ତ ତଥ୍ୟ ଆଧାରରେ ହିଁ ଏହି ଚରମ ନିଷ୍ପତ୍ତି ନିଆଯାଇଛି।
ପ୍ରାୟ ୨୩ ଲକ୍ଷ ପରୀକ୍ଷାର୍ଥୀଙ୍କ ପରିଶ୍ରମ ଓ ସ୍ୱପ୍ନ ଏବେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବାରମ୍ବାର ପରୀକ୍ଷା ବିଭ୍ରାଟ ଘଟୁଥିବାରୁ ଅଭିଭାବକ ମହଲରେ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ପୁନଃ ପରୀକ୍ଷା ପାଇଁ ତାରିଖ ଘୋଷଣା ହେବାକୁ ଥିବା ବେଳେ, ଶିକ୍ଷାମନ୍ତ୍ରୀ କେବେ ସମ୍ମୁଖକୁ ଆସି ଦେଶର ଛାତ୍ରସମାଜକୁ ଆଶ୍ୱାସନା ଦେଉଛନ୍ତି, ତାହା ଉପରେ ଏବେ ସମସ୍ତଙ୍କ ନଜର।
ପ୍ରଶାସନିକ ସ୍ତରରେ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେଲେ, ପରୀକ୍ଷା ବ୍ୟବସ୍ଥା ଉପରୁ ସାଧାରଣ ଜନତାଙ୍କ ଭରସା ତୁଟିଯିବାର ଆଶଙ୍କା ରହିଛି।
