ନୂଆଦିଲ୍ଲୀ, (ସତ୍ୟପାଠ ବ୍ୟୁରୋ) : ନିଟ୍-ୟୁଜି ୨୦୨୬ ପ୍ରଶ୍ନପତ୍ର ଲିକ୍ ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (ସିବିଆଇ) ବୁଧବାର ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିଛି। ଏହା ସହିତ ଏହି ପ୍ରଶ୍ନପତ୍ର ଲିକ୍ ମାମଲାର ତଦନ୍ତ ପ୍ରକ୍ରିୟା ଶେଷ ହୋଇଥିବା ଜଣାପଡ଼ିଛି। ଦିଲ୍ଲୀ କୋର୍ଟରେ ଦାଖଲ କରାଯାଇଥିବା ଏହି ସମ୍ପୂର୍ଣ୍ଣ ରିପୋର୍ଟରେ ଆଉ ଜଣେ ବେସରକାରୀ ବ୍ୟକ୍ତିଙ୍କ ନାମ ସାମିଲ କରାଯାଇଛି। ଏହାପୂର୍ବରୁ ଗତ ଜୁଲାଇ ୨୮ ତାରିଖରେ ଦାଖଲ ହୋଇଥିବା ପ୍ରଥମ ଚାର୍ଜସିଟରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ଦ୍ୱାରା ନିୟୋଜିତ ୩ ଜଣ ବିଶେଷଜ୍ଞ, ମଧ୍ୟସ୍ଥି ଏବଂ କୋଚିଂ ସେଣ୍ଟର ପ୍ରତିନିଧିଙ୍କ ସମେତ ମୋଟ ୧୩ ଜଣଙ୍କ ନାମ ରହିଥିଲା। ତେବେ ଏହି ସପ୍ଲିମେଣ୍ଟାରୀ ଚାର୍ଜସିଟରେ କୌଣସି ସରକାରୀ ଅଧିକାରୀଙ୍କ ନାମ ନାହିଁ। ସିବିଆଇ ନିଜର ବ୍ୟାପକ ତଦନ୍ତରେ ଏନଟିଏ କିମ୍ବା ଅନ୍ୟ କୌଣସି ସରକାରୀ ଅଧିକାରୀଙ୍କର ଏହି ପ୍ରଶ୍ନପତ୍ର ଲିକରେ ସଂପୃକ୍ତି ଥିବାର କୌଣସି ପ୍ରମାଣ ପାଇନାହିଁ। ନୂତନ ଚାର୍ଜସିଟରେ ସେଣ୍ଟ୍ରାଲ ଫୋରେନ୍ସିକ୍ ସାଇନ୍ସ ଲାବୋରେଟୋରୀ (ସିଏଫ୍ଏସ୍ଏଲ୍), ଜିଇକ୍ୟୁଡି ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ବିଶେଷଜ୍ଞଙ୍କ ଫୋରେନ୍ସିକ୍ ରିପୋର୍ଟକୁ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ସୂଚନାଯୋଗ୍ୟ ଯେ, ଗତ ମେ’ ୩ ତାରିଖରେ ହୋଇଥିବା ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ସହ ଏକ ଗେସ୍ ପେପରର ପ୍ରାୟ ୧୨୦ଟି ପ୍ରଶ୍ନ ସମାନ ରହିଥିବା ଜଣାପଡ଼ିବା ପରେ ମେ ୧୨ରେ ଏନଟିଏ ୨୦୨୬ ନିଟ୍ ପରୀକ୍ଷାକୁ ରଦ୍ଦ କରିଥିଲା।