ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ନିଟ୍‌-ୟୁଜି ୨୦୨୬ ପୁନର୍ବାର ପରୀକ୍ଷା ପାଇଁ ଖୁବ୍‌ ଶୀଘ୍ର ତାରିଖ ହେବ ଘୋଷଣା ବୋଲି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) କହିଛି। ଏହି ଅଭିଯୋଗର ବିସ୍ତୃତ ତଦନ୍ତ ପାଇଁ କେନ୍ଦ୍ର ସରକାର କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଦାୟିତ୍ବ ଦେଇଛନ୍ତି। ଏହି ମାମଲାରେ ସିବିଆଇ ମାମଲା ରୁଜୁ କରିଛି। ଏଥି ସହିତ ତଦନ୍ତ ଆରମ୍ଭ କରିଦେଇଛି। ଏହି ଘଟଣା ଅଭୂତପୂର୍ବ ସୁରକ୍ଷା ବ୍ୟବସ୍ଥା ସହିତ ଭାରତ ତଥା ବିଦେଶର ୫୪୩୨ କେନ୍ଦ୍ରରେ ପରୀକ୍ଷା ଦେଇଥିବା ୨୨ ଲକ୍ଷରୁ ଅଧିକ ପ୍ରାର୍ଥୀଙ୍କ ପାଇଁ ଅତ୍ୟଧିକ ଯନ୍ତ୍ରଣା ସୃଷ୍ଟି କରିବାକୁ ଯାଉଛି। ଏକ୍ସରେ ଏକ ବିବୃତିରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) କହିଛି ଯେ ସ୍ୱଚ୍ଛତା ଓ ଜାତୀୟ ପରୀକ୍ଷା ବ୍ୟବସ୍ଥା ଉପରେ ବିଶ୍ୱାସ ବଜାୟ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି।

ଏଜେନ୍ସି କହିଛି ଯେ, ପ୍ରାଥମିକ ତଦନ୍ତରୁ କିଛି ଅନିୟମିତା ହୋଇଥିବା ଜଣାପଡ଼ିଛି। ତେଣୁ ପୂର୍ବ ପରୀକ୍ଷାକୁ ବାତିଲ କରି ପୁନଃ ପରୀକ୍ଷା କରାଇବାକୁ ପଡ଼ିବ। ଆଗାମୀ ଦିନରେ ଏଜେନ୍ସିର ଅଫିସିଆଲ୍ ଚ୍ୟାନେଲ ମାଧ୍ୟମରେ ପୁନଃ ପରୀକ୍ଷା ତାରିଖ ବିଷୟରେ ଜଣାଇ ଦିଆଯିବ। ଏନ୍‌ଟିଏ ଆହୁରି କହିଛି ଯେ, ପରୀକ୍ଷା ସହ ଜଡିତ ଅଭିଯୋଗର ବିସ୍ତୃତ ତଦନ୍ତ ପାଇଁ ସରକାର ଏହି ମାମଲାକୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି।

ଏନ୍‌ଟିଏ ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବ। ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଓ ଜାତୀୟ ପରୀକ୍ଷା ବ୍ୟବସ୍ଥାର ବିଶ୍ୱନୀୟତାର ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ସଂଶୋଧିତ ପରୀକ୍ଷା କାର୍ଯ୍ୟସୂଚୀ ସମ୍ପର୍କରେ କେବଳ ଏଜେନ୍ସିର ସରକାରୀ ସୂଚନା ଉପରେ ନିର୍ଭର କରିବାକୁ ଏନ୍‌ଟିଏ ଅନୁରୋଧ କରିଛି। ବିବୃତିରେ କୁହାଯାଇଛି ଯେ କୌଣସି ନୂତନ ପଞ୍ଜୀକରଣର ଆବଶ୍ୟକତା ନାହିଁ ଏବଂ କୌଣସି ଅତିରିକ୍ତ ପରୀକ୍ଷା ଫି ଆଦାୟ କରାଯିବ ନାହିଁ। ଛାତ୍ରଛାତ୍ରୀମାନେ ପୂର୍ବରୁ ଦେଇଥିବା ଫି ଫେରସ୍ତ କରାଯିବ ଏବଂ ଏନ୍‌ଟିଏର ନିଜସ୍ବ ସମ୍ବଳ ବ୍ୟବହାର କରି ପୁନଃ ପରୀକ୍ଷା କରାଯିବ ବୋଲି କହିଛି ।