ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୨୦୦ କୋଟି ମନି ଲଣ୍ଡରିଂ ମାମଲାରେ ଆଉ ସରକାରୀ ସାକ୍ଷୀ ହେବେନି ଜ୍ୟାକଲିନ। ପଟିଆଲା ହାଉସ କୋର୍ଟରୁ ଆବେଦନ ଫେରାଇ ନେଲେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିସ। ତେବେ ଜ୍ୟାକଲିନଙ୍କ ଓକିଲ କୋର୍ଟଙ୍କୁ ଜଣାଇଛନ୍ତି ଯେ, ବର୍ତ୍ତମାନ ପରିସ୍ଥିତିରେ ଅଭିନେତ୍ରୀ ଏହି ଆବେଦନକୁ ଆଗକୁ ବଢ଼ାଇବାକୁ ଚାହୁଁନାହାନ୍ତି । ଏହି ପଦକ୍ଷେପ ପରେ କୋର୍ଟ ତାଙ୍କୁ ଆବେଦନ ଫେରାଇ ନେବାକୁ ଅନୁମତି ଦେଇଛନ୍ତି । ଯଦି ସେ ସରକାରୀ ସାକ୍ଷୀ ହୋଇଥାନ୍ତେ, ତେବେ ତାଙ୍କୁ ମାମଲାର ସମସ୍ତ ସତ୍ୟତା ପ୍ରକାଶ କରିବାକୁ ପଡ଼ିଥାନ୍ତା, ଯାହା ବଦଳରେ ତାଙ୍କୁ ଦଣ୍ଡରୁ କୋହଳ ମିଳିବାର ସମ୍ଭାବନା ଥାନ୍ତା ।

କିନ୍ତୁ ଏବେ ସେ ଜଣେ ଅଭିଯୁକ୍ତ ଭାବେ ହିଁ ମାମଲାର ସାମନା କରିବେ । ଏହି ପୂରା ମାମଲା ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡ଼ିତ । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଭିଯୋଗ କରିଛି ଯେ, ସୁକେଶ ବିଭିନ୍ନ ଲୋକଙ୍କୁ ଠକି ରୋଜଗାର କରିଥିବା ଟଙ୍କାରୁ ଜ୍ୟାକଲିନଙ୍କୁ କୋଟି କୋଟି ଟଙ୍କାର ଦାମୀ ଉପହାର ଦେଇଥିଲେ । ଏଥିରେ ବିଦେଶୀ ଘୋଡ଼ା, ଦାମୀ ବ୍ୟାଗ, ହୀରା ଗହଣା ଏବଂ କାର୍ ସାମିଲ ଥିବା କୁହାଯାଇଛି । ଇଡିର କହିବା ଅନୁଯାୟୀ, ଜ୍ୟାକଲିନ ଜାଣିଥିଲେ ଯେ ସୁକେଶ ଜଣେ ଅପରାଧୀ ଏବଂ ସେ ଦେଉଥିବା ଉପହାରଗୁଡ଼ିକ ଅସାଧୁ ଉପାୟରେ ଅର୍ଜିତ ଟଙ୍କାରୁ କିଣାଯାଇଛି । ଏହି କାରଣରୁ ତଦନ୍ତକାରୀ ସଂସ୍ଥା ତାଙ୍କୁ ଏହି ମାମଲାରେ ଜଣେ ଅଭିଯୁକ୍ତ ଭାବେ ଦର୍ଶାଇଛି। ଜ୍ୟାକଲିନ ବର୍ତ୍ତମାନ ଜାମିନରେ ଅଛନ୍ତି । ସରକାରୀ ସାକ୍ଷୀ ହେବା ଆବେଦନ ପ୍ରତ୍ୟାହାର କରିବା ପରେ ଏବେ ତାଙ୍କ ବିରୋଧରେ ଟ୍ରାଏଲ୍ ବା ବିଚାର ପ୍ରକ୍ରିୟା ପୂର୍ବପରି ଜାରି ରହିବ ।