ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏଣିକି କାରକେଡ ବଦଳରେ ବସରେ ଯାଇ ପ୍ରକଳ୍ପର ସମୀକ୍ଷା କରିବେ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡ଼କରୀ । ସେ ତାଙ୍କର ଆଗାମୀ ମହାରାଷ୍ଟ୍ର ଗସ୍ତ ସମୟରେ ଭିଆଇପି ସୁରକ୍ଷା ଛାଡ଼ି ସାଧାରଣ ବସରେ ଯାତ୍ରା କରିବେ ବୋଲି ଘୋଷଣା କରିଛନ୍ତି। ତେବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଆସନ୍ତା ମେ ୧୪ ଏବଂ ୧୫ ତାରିଖରେ ମହାରାଷ୍ଟ୍ର ଗସ୍ତରେ ରହିବେ। ଏହି ସମୟରେ ସେ ସନ୍ଥ ଜ୍ଞାନେଶ୍ୱର ମହାରାଜ ଏବଂ ସନ୍ଥ ତୁକାରାମ ମହାରାଜ ପାଲଖି ମାର୍ଗ ପ୍ରକଳ୍ପର ସମୀକ୍ଷା କରିବେ। ସେ ନିଜର ବ୍ୟକ୍ତିଗତ ବୁଲେଟ ପ୍ରୁଫ୍ କିମ୍ବା ସରକାରୀ ଏସୟୁଭି ବଦଳରେ ଏକ ବସରେ ଯାତ୍ରା କରିବେ। ଏହି ବସରେ ତାଙ୍କ ସହିତ ସମ୍ପୃକ୍ତ ବିଭାଗର ଅଧିକାରୀ, ସୁରକ୍ଷା କର୍ମୀ ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ଯାତ୍ରା କରିବେ। ଗଡ଼କରୀ କେବଳ ବସରେ ଯାତ୍ରା କରିବେ ନାହିଁ, ବରଂ ତାଙ୍କ ସୁରକ୍ଷା ପାଇଁ ନିୟୋଜିତ ହେଉଥିବା ଗାଡ଼ି ସଂଖ୍ୟାକୁ ୫୦ ପ୍ରତିଶତ କମାଇବାକୁ ପୁଣେ, ସାତାରା ଏବଂ ସୋଲାପୁର ଜିଲ୍ଲା ପ୍ରଶାସନ ତଥା ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।

ସାଧାରଣତଃ ଜଣେ କେନ୍ଦ୍ରମନ୍ତ୍ରୀଙ୍କ କାରକେଡରେ ଅନେକ ଗାଡ଼ି ରହିଥାଏ, ଯାହାକୁ ଏବେ ଅଧା କରିଦିଆଯାଇଛି। ସେପଟେ ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ଇନ୍ଧନ ବଞ୍ଚାଇବା, ଅନାବଶ୍ୟକ ବିଦେଶ ଯାତ୍ରା ନକରିବା ଏବଂ ସାର୍ବଜନୀନ ପରିବହନ ବ୍ୟବହାର କରିବାକୁ ଅନୁରୋଧ କରିଥିଲେ। ଗଡ଼କରୀଙ୍କ ପୂର୍ବରୁ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ପଶ୍ଚିମବଙ୍ଗର ନୂଆ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ମଧ୍ୟ ନିଜ ନିଜ କାରକେଡରେ ଗାଡ଼ି ସଂଖ୍ୟା କମାଇବାକୁ ଘୋଷଣା କରିସାରିଛନ୍ତି।