ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): CBSE ଦ୍ବାଦଶରେ ପରୀକ୍ଷାରେ କମିଲା ପାସ୍‌ହାର । ଦେଶରେ ୮୫.୨୦%, ଓଡ଼ିଶାରେ ୭୬.୮୧% । ତେବେ ୨୦୨୫ରେ ଦେଶରେ ପାସ୍‌ହାର ୮୮.୩୯% ରହିଥିବା ବେଳେ ଏଥରକ ୮୫.୨୦% ହୋଇଛି, ଯାହାକି ୩.୧୯% କମ୍‌। ଅନୁରୂପ ଭାବେ ଓଡ଼ିଶାରେ ପାସ୍‌ହାର ମାତ୍ର ୭୬.୮୧% ହୋଇଛି। ଶେଷ ଖବର ସୁଦ୍ଧା ବିଜ୍ଞାନ ବିଭାଗରେ ଖୋର୍ଦ୍ଧାସ୍ଥିତ ଆର୍ଯ୍ୟବ୍ରତ ଆନ୍‌ସିଏଣ୍ଟ ଏକାଡେମିର ଛାତ୍ର ବିଶ୍ବରଞ୍ଜନ ଜୁଝରସିଂ ୯୮.୮% ନମ୍ବର ରଖିଥିବା ବେଳେ ହ୍ୟୁମାନିଟିଜ୍‌ ଓ ବାଣିଜ୍ୟରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ତରୁଣ ତପନ ଭୂୟାଁ ଓ ବତ୍ସଳ ଅଗ୍ରୱାଲ ଯଥାକ୍ରମେ ୯୮.୮% ନମ୍ବର ରଖି ଆଗରେ ରହିଛନ୍ତି। ସେପଟେ ଚଳିତବର୍ଷ ଓଡ଼ିଶାର ୫୩୭ ବିଦ୍ୟାଳୟରୁ ୪୦ ହଜାର ୩୦୦ ଜଣ ବିଦ୍ୟାର୍ଥୀ ୨୬୩ଟି କେନ୍ଦ୍ରରେ ପରୀକ୍ଷା ଦେଇଥିଲେ। ସେଥିମଧ୍ୟରୁ ୩୦ ହଜାର ୯୫୫ ଜଣ ପାସ୍‌ କରିଛନ୍ତି। ପାସ୍‌ହାର ୭୬.୮୧% ହୋଇଛି। ପରୀକ୍ଷା ଦେଇଥିବା ୨୨ ହଜାର ୩୭୧ ଛାତ୍ରଙ୍କ ମଧ୍ୟରୁ ୧୬ ହଜାର ୬୪୦ ଜଣ ପାସ୍‌ କରିଛନ୍ତି।

ସେହିପରି ୧୭ ହଜାର ୯୨୯ ଜଣ ଛାତ୍ରୀଙ୍କ ମଧ୍ୟରୁ ୧୪ ହଜାର ୩୧୫ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ରଙ୍କ ପାସ୍‌ହାର ୭୪.୩୮% ଓ ଛାତ୍ରୀଙ୍କ ପାସ୍‌ହାର ୭୯.୮୪% ହୋଇଛି। ଓଡ଼ିଶାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟଗୁଡ଼ିକର ପାସ୍‌ ହାର ସର୍ବାଧିକ ୯୭.୩୪%, ଜେଏନ୍‌ଭିରେ ୯୬.୮୨%, ଇଏମ୍‌ଆରଏସ୍‌ରେ ୮୧.୭୫%, ସ୍ବାଧୀନ (ଇଣ୍ଡିପେଣ୍ଡେଣ୍ଟ)ରେ ୭୭.୨୧% ଓ ସରକାରୀ ବିଦ୍ୟାଳୟରେ ୭୪.୯୬% ପରୀକ୍ଷାର୍ଥୀ ପାସ୍‌ କରିଛନ୍ତି। ସାଧାରଣ ବର୍ଗରେ ପାସ୍‌ହାର ୭୯.୩୦%, ଏସ୍‌ସି ବର୍ଗରେ ୭୧.୦୨%, ଏସ୍‌ଟି ବର୍ଗରେ ୭୩.୫୯% ଓ ଓବିସିରେ ୭୪.୮୬% ହୋଇଛି।