ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ୨୦୨୬-୨୭ ମାର୍କେଟିଂ ଋତୁ ପାଇଁ ୧୪ଟି ଖରିଫ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ବୃଦ୍ଧି କରାଯାଇଛି । ତେବେ ଧାନ (ସାଧାରଣ ମାନ)ର ଏମ୍ଏସ୍ପି ୭୨ ଟଙ୍କା ବୃଦ୍ଧି ପାଇ କ୍ବିଣ୍ଟାଲ୍ ପ୍ରତି ୨୪୪୧ ଟଙ୍କା ହୋଇଛି। ଗ୍ରେଡ୍ ଏ ମାନ ଧାନର ଏମ୍ଏସ୍ପି ୨୪୬୧ ଟଙ୍କାରେ ପହଞ୍ଚିଛି। ଏମ୍ଏସ୍ପି ବୃଦ୍ଧି ପରେ ଚାଷୀମାନଙ୍କୁ ଉତ୍ପାଦନ ଖର୍ଚ୍ଚ ଉପରେ ମୁଗରେ ସର୍ବାଧିକ ୬୧%, ବାଜରା ଓ ମକାରେ ୫୬%, ହରଡ଼ରେ ୫୪% ଓ ଅନ୍ୟାନ୍ୟ ଫସଲରେ ଅତି କମରେ ୫୦% ଲାଭ ମିଳିବ। ସେପଟେ ଗତ ବର୍ଷ ତୁଳନାରେ ସୂର୍ଯ୍ୟମୁଖୀ ମଞ୍ଜିର ଦର ପ୍ରତି କ୍ବିଣ୍ଟାଲ ସର୍ବାଧିକ ୬୨୨ ଟଙ୍କା ବୃଦ୍ଧି ପାଇ ୮୩୪୩ ଟଙ୍କା, କପା ଦର ୫୫୭ ଟଙ୍କା ବଢ଼ି ୮୨୬୭ ଟଙ୍କା, ନାଇଜରସିଡ୍ (ଅଳସୀ) ୫୧୫ ଟଙ୍କା ବଢ଼ି ୧୦,୦୫୨ ଟଙ୍କା ଓ ରାଶି ଏମ୍ଏସ୍ପି ୫୦୦ ଟଙ୍କା ବଢି କ୍ବିଣ୍ଟାଲ୍ ପ୍ରତି ୧୦,୩୪୬ ଟଙ୍କା ହୋଇଛି।
ମକାର ଦର ୧୦ ଟଙ୍କା ବଢ଼ି କ୍ୱିଣ୍ଟାଲ ପିଛା ୨,୪୧୦ ଟଙ୍କା, କ୍ବିଣ୍ଟାଲ ହିସାବରେ ହରଡ଼ ଦର ୪୫୦ ଟଙ୍କା ବଢ଼ି ୮,୪୫୦ ଟଙ୍କା, ମୁଗର ୧୨ ଟଙ୍କା ବଢ଼ି ୮,୭୮୦ ଟଙ୍କା, ବିରି ୪୦୦ ଟଙ୍କା ବଢ଼ି ୮,୨୦୦ ଟଙ୍କା, ଚିନାବାଦାମ ୨୫୪ ଟଙ୍କା ବଢ଼ି ୭,୫୧୭ ଟଙ୍କା ଓ ସୋୟାବିନ୍ (ହଳଦିଆ) ଦାମ ୩୮୦ ଟଙ୍କା ବଢ଼ି ୫,୭୦୮ ଟଙ୍କା ହୋଇଛି। ଏହି ମୂଲ୍ୟ ବୃଦ୍ଧି ୨୦୧୮-୧୯ କେନ୍ଦ୍ରୀୟ ବଜେଟର ଘୋଷଣା ଅନୁଯାୟୀ କରାଯାଇଛି। ଏମ୍ଏସ୍ପିକୁ ଉତ୍ପାଦନ ଖର୍ଚ୍ଚର ଅତି କମରେ ୧.୫ ଗୁଣ ରଖିବାକୁ ସେହି ସମୟରେ ନିଷ୍ପତ୍ତି ନିଆଯାଇଥିଲା।
