ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ପେଟ୍ରୋଲ ଡିଜେଲକୁ ନେଇ ଏନେଇ ଗୁଜବ ସାମ୍ନାକୁ ଆସିଛି । ଫଳରେ ଅନେକ ପେଟ୍ରୋଲ ପମ୍ପ ଗୁଡିକରେ ଭିଡ଼ ମଧ୍ୟ ଦେଖିବାକୁ ମିଳିଛି । ଏହା ମଧ୍ୟରେ ଗୁଜବ ଉପରେ ବିରାମ ଲଗାଇଲେ ଓଡ଼ିଶା ପେଟ୍ରୋଲ ପମ୍ପ୍ ଆସୋସିଏସନ୍ ସଭାପତି ସଞ୍ଜୟ ଲାଠ୍ | ସେ ସ୍ପଷ୍ଟ କରିଛନ୍ତି ଆସନ୍ତାକାଲି ଠାରୁ ତେଲ ଅଭାବ ହେବ ନାହିଁ | ସହର ସମସ୍ତ ବଡ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଓ ଡିଜେଲ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଅଛି ବୋଲି କହିଛନ୍ତି ।
ଏହା ସହ ସଞ୍ଜୟ ଲାଠ୍ କହିଛନ୍ତି , ଛୋଟ ପମ୍ପ୍ ଗୁଡିକ ମଧ୍ୟ କମ୍ପାନୀଠାରୁ ଆଗୁଆ ତେଲ କିଣିସାରିଛନ୍ତି । ତେଣୁ ଗ୍ରାହକଙ୍କୁ କୌଣସି ଅସୁବିଧା ହେବନି । ସେ ସ୍ପଷ୍ଟ କରିଛନ୍ତି – ପ୍ରଥମେ କିଛି ଛୋଟ ପେଟ୍ରୋଲ ପମ୍ପ୍ ଟଙ୍କା ଅଭାବ ଏବଂ ଟାଙ୍କି ଛୋଟ ଥିବାରୁ ତେଲ କିଣିବାରେ ଅସୁବିଧା ଭୋଗୁଥିଲେ । ହେଲେ ଏବେ ସେହି ଆର୍ଥିକ ସମସ୍ୟା ଦୂର ହୋଇଛି । ସମସ୍ତ ପମ୍ପ୍ କମ୍ପାନୀଠାରୁ ପେଟ୍ରୋଲ-ଡିଜେଲ କିଣିସାରିଛନ୍ତି । ରାତିରେ ତେଲ ଆସି ପହଞ୍ଚିବ ବୋଲି କହିଛନ୍ତି । ଭୁବନେଶ୍ୱରରେ କୌଣସି ପ୍ରକାର ତେଲ ସଙ୍କଟ ନାହିଁ କି ପ୍ୟାନିକ୍ ପରିସ୍ଥିତି ନାହିଁ ବୋଲି ସେ ଦୃଢତାର ସହ କହିଛନ୍ତି।
ଲୋକଙ୍କୁ ଅନାବଶ୍ୟକ ଭିଡ ନକରିବାକୁ ଓ ଗୁଜବରେ ବିଶ୍ଵାସ ନକରିବାକୁ ଅନୁରୋଧ କରିଛନ୍ତି । କଳ୍ପନା ସମେତ କିଛି ପମ୍ପ୍ ରେ ସାମୟିକ ଯୋଗାଣ ବିଳମ୍ବ ହୋଇଥିଲା । କିନ୍ତୁ ଏବେ ସ୍ଥିତି ସ୍ୱାଭାବିକ । ସମସ୍ତ ପମ୍ପରେ ତେଲ ଉପଲବ୍ଧ । କୌଣସି ଗ୍ରାହକଙ୍କ ପାଇଁ ତେଲ କିଣିବାରେ କୌଣସି କଟକଣା ନାହିଁ । ଯେକେହି ନିଜ ଗାଡିର ଟାଙ୍କି ଫୁଲ୍ କରିପାରିବେ । ରାସନିଂ କି ଲିମିଟ୍ ବ୍ୟବସ୍ଥା ନାହିଁ ବୋଲି ସଭାପତି ସଞ୍ଜୟ ଲାଠ୍ କହିଛନ୍ତି।
