ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ଜୁନ୍ ୧୨ରେ ମୋହନ ସରକାରକୁ ପୁରିବ ୨ ବର୍ଷ । ଏନେଇ ମନ୍ତ୍ରୀଙ୍କୁ ମାଗିଲେ ରିପୋର୍ଟ କାର୍ଡ । ତେବେ ଉତ୍ସବ ପାଳନ ନୁହେଁ ଉପଲବ୍ଧି କଣ ହାସଲ କରିଛ ତାହାର ହିସାବ ରାଜ୍ୟବାସୀଙ୍କ ସାମ୍ନାରେ ରଖିବାକୁ ଦେଇଛନ୍ତି ନିର୍ଦ୍ଦେଶ । ୧୦ ଦିନ ଧରି ପାଳନ ହେବାକୁ ଥିବା ପୂର୍ତ୍ତି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବା ନେଇ ସଂକେତ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ । ଦେଶ ସଙ୍କଟମୟ ପରିସ୍ଥିତି ଦେଇ ଗତି କରୁଥିବାରୁ ଉତ୍ସବକୁ ନିରାଡମ୍ବର ଭାବେ ପାଳିବାକୁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ।

ଆସନ୍ତା ଜୁନ୍ ୧୨ରୁ ୨୧ ଯାଏଁ ଉଭୟ ରାଜ୍ୟ ଓ ଜିଲ୍ଲାସ୍ତରରେ ପାଳନ ହେବ ପୂର୍ତ୍ତି ଉତ୍ସବ । ବିଭିନ୍ନ ବିଭାଗର ସଫଳତା ସହ ଶକ୍ତି ଓଡ଼ିଶା, ସମୃଦ୍ଧ କୃଷି ଓଡ଼ିଶା, ସୁସ୍ଥ ଓଡ଼ିଶା, ନିର୍ମାଣ ଓଡ଼ିଶା, ଉତ୍କର୍ଷ ଓଡ଼ିଶା, ଜନଶକ୍ତି ଓଡ଼ିଶା ଏବଂ କୌଶଳ ଓଡ଼ିଶା ଥିମ୍‌ରେ କାର୍ଯ୍ୟକ୍ରମ ହେବ । ଏଥିସହିତ ୨୦୨୬ରୁ ୨୦୩୬ ପର୍ଯ୍ୟନ୍ତ ସରକାରଙ୍କ ଲକ୍ଷ୍ୟ ଏବଂ ଆଭିମୁଖ୍ୟ ଏହି କାର୍ଯ୍ୟକ୍ରମରେ ସାମିଲ ରହିବ । ଏହାସହ ମନ୍ତ୍ରୀ ମାନଙ୍କୁ ରିପୋର୍ଟ କାର୍ଡ ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ୨ ବର୍ଷରେ ନିଜ ନିଜ ବିଭାଗର ସଫଳତା ରାଜ୍ୟବାସୀଙ୍କ ସାମ୍ନାରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।