ଫୁଲବାଣୀ:କନ୍ଧମାଳ ଜିଲ୍ଲାକୁ ମାଓମୁକ୍ତ କରିବା ଦିଗରେ ଆଜି ଏକ ଐତିହାସିକ ପଦକ୍ଷେପ ଦେଖାଗଲା। ଅସ୍ତ୍ର ତ୍ୟାଗ କରି ମୁଖ୍ୟ ସ୍ରୋତକୁ ଫେରିଲେ ୧୦ ଜଣ ମାଓବାଦୀ। ଏହାମଧ୍ୟରୁ ୪ ଜଣ ହାର୍ଡକୋର୍ ମାଓବାଦୀ ଥିବାବେଳେ ସମସ୍ତେ ଆଜି କନ୍ଧମାଳ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଜିଲ୍ଲାରେ ପ୍ରଥମଥର ପାଇଁ ଏତେ ସଂଖ୍ୟକ ମାଓବାଦୀଙ୍କ ଏକାସାଥି ଆତ୍ମସମର୍ପଣ ଘଟଣାକୁ ବଡ଼ ସଫଳତା ଭାବେ ଦେଖାଯାଉଛି।ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରେ ରାଜ୍ୟ କମିଟି ସଦସ୍ୟ ସାନୁ ପୋଟାମ ଓରଫ ନିତୁ, ଡିଭିଜନାଲ କମିଟି ସଦସ୍ୟ ସାନ୍ତାଏ ସଲାମ ଓରଫ ଅନୁପା, ଏରିଆ କମିଟି ସଦସ୍ୟ ଲକ୍ଷ୍ମୀ ମାଡଭୀ ଓରଫ ସଙ୍ଗୀତା ଏବଂ ସୁନୀଲ ତାଲେମ ଅଛନ୍ତି। ନିତୁଙ୍କ ମୁଣ୍ଡ ଉପରେ ୬୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ଥିବାବେଳେ, ଅନୁପାଙ୍କ ଉପରେ ୩୨ ଲକ୍ଷ ଓ ଲକ୍ଷ୍ମୀ ଓ ସୁନୀଲଙ୍କ ଉପରେ ୨୨ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଥିଲା। ସେମାନଙ୍କ ସହିତ ଆଉ ୬ ଜଣ ପାର୍ଟି ସଦସ୍ୟ ମଧ୍ୟ ଆତ୍ମସମର୍ପଣ କରିଛନ୍ତି।ସମସ୍ତ ମାଓବାଦୀ ନିଜ ନିଜର ଅସ୍ତ୍ରଶସ୍ତ୍ର ସହିତ ଆତ୍ମସମର୍ପଣ କରିଥିବାବେଳେ ସେଥିରେ ଇନସାସ ଓ ଏସଏଲଆର ଭଳି ଆଧୁନିକ ଅସ୍ତ୍ର ମଧ୍ୟ ଜବତ ହୋଇଛି। ଫୁଲବାଣୀର ସ୍ଥାନୀୟ ରିଜର୍ଭ ପୁଲିସ ପଡିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅତିରିକ୍ତ ଡିଜି (ଆଣ୍ଟି ନକ୍ସଲ ଅପରେସନ) ସଞ୍ଜୀବ ପଣ୍ଡା ଏହି ମାଓବାଦୀମାନଙ୍କୁ ସମାଜର ମୂଖ୍ୟ ଧାରାକୁ ସ୍ବାଗତ କରିଥିଲେ। ସେ କହିଥିଲେ, ସରକାରଙ୍କ ପୁନର୍ବାସ ନୀତି ଅନୁଯାୟୀ ଏମାନଙ୍କୁ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦିଆଯିବ।ଏଡିଜି ଶ୍ରେୟ ଦେଇ କହିଥିଲେ ଯେ, କନ୍ଧମାଳରେ ଗତ କିଛି ଦିନ ଧରି ଚାଲିଥିବା ଯୋଜନାବଦ୍ଧ ନକ୍ସଲ ବିରୋଧୀ ଅଭିଯାନ, ଏସପି ହରିଶ ବି ସିଙ୍କ ନେତୃତ୍ୱ ଓ ଏସଓଜି ଯବାନ ସହ ସିଆରପିଏଫ ଭଳି ଅର୍ଦ୍ଧ ସାମରିକ ବାହିନୀଙ୍କ ସହଯୋଗରେ ଏହି ସଫଳତା ମିଳିଛି।ଆଜିର କାର୍ଯ୍ୟକ୍ରମରେ ସିଆରପିଏଫ ଆଇଜି ଅମିତେନ୍ଦ୍ର ନାଥ ସିହ୍ନା, ଦକ୍ଷିଣାଞ୍ଚଳ ଆଇଜି ନିତି ଶେଖର, ଆଇଜି (ଅପରେସନ) ଦୀପକ କୁମାର ଓ ଡିଆଇଜି ଅଖିଳେଶ୍ୱର ସିଂ ସହିତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।ଜିଲ୍ଲାରେ ଏତେ ସଂଖ୍ୟକ ମାଓବାଦୀଙ୍କ ଏକାସାଥି ଆତ୍ମସମର୍ପଣ କରିବା ଘଟଣାକୁ ଲୋକମାନେ ଶାନ୍ତି ଓ ଉନ୍ନତିର ନୂଆ ଆଶା ଭାବେ ଦେଖୁଛନ୍ତି।





