ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଟାଙ୍ଗି ବ୍ଲକ କାର୍ଯ୍ୟାଳୟ ପରିସରରେ ଏବିଡ଼ିଓ ଶାଶ୍ଵତ ଜେନାଙ୍କୁ ଧମକ ଚମକ ଦେବା ଘଟଣାରେ ଏବେ ରାଜନୀତି ଗରମ ହେବାରେ ଲାଗିଛି। ଏହି ବିବାଦୀୟ ଘଟଣାରେ ପରାଜିତ ବିଜେପି ନେତା ଅରିନ୍ଦମ ରୟ ଏବଂ ଅଭୟ ବାରିକଙ୍କ ଭିଡିଓ ସାମ୍ନାକୁ ଆସିବା ପରେ ମାମଲା ଉଗ୍ର ରୂପ ଧାରଣ କରିଛି। ଏବିଡ଼ିଓଙ୍କୁ ନାଲିଆଖି ଦେଖାଇବା ଏବଂ ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ଟାଙ୍ଗି ବିଜେଡି ପକ୍ଷରୁ ସେମାନଙ୍କ ବିରୋଧରେ ଥାନାରେ ଅଭିଯୋଗ ଦାଖଲ କରାଯାଇଛି।
ସେପଟେ ଏହି ଘଟଣାକୁ ନେଇ ଏବିଡ଼ିଓ ଶାଶ୍ଵତ ଜେନା ନିଜେ ଟାଙ୍ଗି ଥାନାରେ ଏକ ଲିଖିତ ଏତଲା ଦେବା ପରେ ପୋଲିସ ଏହାକୁ ଅତ୍ୟନ୍ତ ଗୁରୁତର ସହ ଗ୍ରହଣ କରିଛି। ଅରିନ୍ଦମ ରୟ ଏବଂ ଅଭୟ ବାରିକଙ୍କ ସମେତ ସେମାନଙ୍କର ପ୍ରାୟ ୧୦୦ ଜଣ ସମର୍ଥକଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି। ସେମାନଙ୍କ ବିରୋଧରେ, ବିନା ଅନୁମତିରେ ସରକାରୀ ଅଫିସରେ ପ୍ରବେଶ କରିବା, ସରକାରୀ କାର୍ଯ୍ୟ ସମୟରେ ଅଫିସରଙ୍କୁ ଗାଳିଗୁଲଜ କରିବା, ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ସହ ଜୀବନରୁ ମାରିଦେବା ଭଳି ସଙ୍ଗିନ ଦଫା ଲଗାଯାଇଛି।
ସେପଟେ ଅରିନ୍ଦମ ରୟଙ୍କ ସମ୍ପୃକ୍ତି ଥିବା ଏହି ଘଟଣାକୁ ନେଇ ଟାଙ୍ଗି ବ୍ଲକ ବିଜେଡି ରାସ୍ତାକୁ ଓହ୍ଲାଇବାକୁ ସଜବାଜ ହେଉଛି। ପ୍ରଶାସନିକ ସ୍ତରରେ ଜଣେ ଅଧିକାରୀଙ୍କୁ ଏଭଳି ଅସଦାଚରଣ କରାଯିବା ପ୍ରତିବାଦରେ ଦଳ ପକ୍ଷରୁ ପ୍ରଶାସନକୁ ଅଲ୍ଟିମେଟମ୍ ଦିଆଯାଇଛି। ବିଜେପି ନେତା ଅରିନ୍ଦମ ରୟ ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ ଯଦି ଆସନ୍ତା ୨୪ ଘଣ୍ଟା ମଧ୍ୟରେ କୌଣସି ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତେବେ ଆସନ୍ତାକାଲିଠାରୁ ଟାଙ୍ଗି ବ୍ଲକ ଅଫିସ ସମ୍ମୁଖରେ ବିଜେଡି ବ୍ୟାପକ ପ୍ରତିବାଦ ସହ ଧାରଣାରେ ବସିବ।ବୋଲି ଟାଙ୍ଗି ବିଜେଡି ସଂଗଠନ ପକ୍ଷରୁ କୁହାଯାଇଛି ।
ବ୍ଲକ କାର୍ଯ୍ୟାଳୟର ସିସିଟିଭି ଫୁଟେଜ୍ ଏବଂ ଉପସ୍ଥିତ ସାକ୍ଷୀମାନଙ୍କ ବୟାନ ଆଧାରରେ ତଦନ୍ତ ପ୍ରକ୍ରିୟାକୁ ଆଗକୁ ବଢ଼ାଯାଉଥିବା ନେଇ ପୋଲିସ ସୂତ୍ରରୁ ସୂଚନା ମିଳିଛି। ତେବେ ରାଜ୍ୟର ବିଜେପି ସରକାର ନିଜ ଦଳର ନେତାଙ୍କ ଉପରେ ଆକ୍ସନ ନେଉଛି ନା ନାହିଁ ଏବେ ତାହା ଦେଖିବାକୁ ବାକି ରହିଲା
