ନୂଆଦିଲ୍ଲୀ:ଚଳିତ ମାସ ୨୮ ତାରିଖରୁ ଆରମ୍ଭ ହେବାକୁ ଥିବା “ଇଣ୍ଡିଆନ୍ ପ୍ରିମିୟର ଲିଗ୍ “ର ପ୍ରଥମ ୨୦ଟି ମ୍ୟାଚ୍‌ର ସୂଚୀ ବୁଧବାର ଘୋଷଣା କରାଯାଇଛି। ମେ’ ୩୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ୧୦ଟି ଦଳ ଭାଗ ନେବେ ଏବଂ ମୋଟ ୮୪ଟି ମ୍ୟାଚ୍‌ ଖେଳାଯିବ।ଆସାମ, ପଶ୍ଚିମବଙ୍ଗ, ତାମିଲନାଡୁ ଓ କେରଳରେ ବିଧାନସଭା ନିର୍ବାଚନ ଥିବାରୁ ବର୍ତ୍ତମାନ କେବଳ ପ୍ରଥମ ପର୍ଯ୍ୟାୟର ସୂଚୀ ଘୋଷଣା କରାଯାଇଛି। ଏହି ରାଜ୍ୟଗୁଡିକର ନିର୍ବାଚନ ତାରିଖ ଘୋଷଣା ପରେ ଅବଶିଷ୍ଟ ମ୍ୟାଚ୍‌ ସୂଚୀ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି।ଚଳିତ ସଂସ୍କରଣର ଉଦ୍‌ଘାଟନୀ ମ୍ୟାଚ୍‌ରେ ଡିଫେଣ୍ଡିଂ ଚ୍ୟାମ୍ପିଅନ୍ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଓ ସନ୍‌ରାଇଜର୍ସ ହାଇଦ୍ରାବାଦ (ଏସ୍‌ଆର୍‌ଏଚ୍) ମୁହାଁମୁହିଁ ହେବେ। ଏହି ମ୍ୟାଚ୍‌ ବେଙ୍ଗାଲୁରୁସ୍ଥିତ ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ଖେଳାଯିବ।ତେବେ ମାର୍ଚ୍ଚ ୨୮ରେ ହେବାକୁ ଥିବା ଏହି ମ୍ୟାଚ୍‌ ପାଇଁ କର୍ଣ୍ଣାଟକ ସରକାରଙ୍କ ଅନୁମତି ଅପେକ୍ଷାରେ ରହିଛି। ୧୩ ତାରିଖରେ ସରକାର ଗଠିତ କମିଟି ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ର ଯାଞ୍ଚ କରିବେ। ତାପରେ ଏଠାରେ ମ୍ୟାଚ୍‌ ଆୟୋଜନ ପାଇଁ ପ୍ରସ୍ତୁତି କାମ ଆରମ୍ଭ ହେବ ବୋଲି ଆଇପିଏଲ୍ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।ଗତ ବର୍ଷ ଏହି ଷ୍ଟାଡିୟମ୍‌ରେ ଆର୍‌ସିବିର ବିଜୟ ଉତ୍ସବ ପାଳନ ବେଳେ ଦଳଚକଟା ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହା ପରେ ଷ୍ଟାଡିୟମ୍‌ରେ ମ୍ୟାଚ୍‌ ଆୟୋଜନ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଥିଲା। ତେବେ ନିକଟରେ କର୍ଣ୍ଣାଟକ ସରକାର ଆଇପିଏଲ୍ ମ୍ୟାଚ୍‌ ଆୟୋଜନ ପାଇଁ ଅନୁମତି ଦେଇଛନ୍ତି।ଏହି ୧୯ତମ ସଂସ୍କରଣର ଦ୍ୱିତୀୟ ମ୍ୟାଚ୍‌ ୱାଙ୍ଖେଡେ ଷ୍ଟାଡିୟମ୍‌ରେ ଖେଳାଯିବ। ସେଠାରେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ ମୁହାଁମୁହିଁ ହେବେ।