“ଏଲପିଜି ଦରବୃଦ୍ଧି ପ୍ରତିବାଦରେ ବିଜେଡିର ବିକ୍ଷୋଭ”

ଭୁବନେଶ୍ୱର, ୧୧ ମାର୍ଚ୍ଚ:ଏଲପିଜି ସିଲିଣ୍ଡର, ଖାଦ୍ୟ ତେଲ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅହେତୁକ ଦରବୃଦ୍ଧି ପ୍ରତିବାଦରେ ବିଜୁ ଜନତା ଦଳ ପକ୍ଷରୁ ବୁଧବାର ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।ବିଜୁ ମହିଳା, ଯୁବ ଓ ଛାତ୍ର ଜନତା ଦଳର ହଜାର ହଜାର କର୍ମୀ, ମହିଳା, ଯୁବ ଓ ଛାତ୍ରଛାତ୍ରୀ ସହ ସାଧାରଣ ଲୋକ ଏହି ପ୍ରତିବାଦରେ ଯୋଗଦେଇ ଲଗାତାର ଦରବୃଦ୍ଧି ଫଳରେ ସାଧାରଣ ଲୋକଙ୍କ ଜୀବନ ଦୁର୍ବିଷହ ହେଉଥିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ।ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ବିଜୁ ମହିଳା ଜନତା ଦଳର ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ବିଜୁ ଯୁବ ଜନତା ଦଳର ସଭାପତି ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସୀତା ସାହୁ ନେତୃତ୍ୱ ଦେଇଥିଲେ। ବିଜେପି ସରକାରଙ୍କ ବିରୋଧରେ ସ୍ଲୋଗାନ୍ ଦେଇ ଦଳୀୟ କର୍ମୀମାନେ ରାସ୍ତା ଉପରେ କାଠ ଚୁଲାରେ ରୋଷେଇ କରି ପ୍ରତୀକାତ୍ମକ ଭାବେ ପ୍ରତିବାଦ ଜଣାଇଥିଲେ।ସୂଚନା ଅନୁଯାୟୀ, ଗତ ମାର୍ଚ୍ଚ ୭ ତାରିଖରୁ ଦେଶବ୍ୟାପୀ ଘରୋଇ ଏଲପିଜି ସିଲିଣ୍ଡର ଦର ୬୦ ଟଙ୍କା ବୃଦ୍ଧି ପାଇଥିବା ବେଳେ ବାଣିଜ୍ୟିକ ସିଲିଣ୍ଡର ଦର ୧୧୫ ଟଙ୍କା ବୃଦ୍ଧି ପାଇଛି। ଏହି ଦରବୃଦ୍ଧି ସାଧାରଣ ଲୋକ, ଛୋଟ ବ୍ୟବସାୟୀ ଓ ବାଣିଜ୍ୟିକ ସଂସ୍ଥାମାନଙ୍କ ଉପରେ ଅତିରିକ୍ତ ଆର୍ଥିକ ଭାର ପକାଇଛି।ସଭାକୁ ସମ୍ବୋଧନ କରି ସ୍ନେହାଙ୍ଗିନୀ ଛୁରିଆ କହିଥିଲେ, ସୁଭଦ୍ରା ଯୋଜନା ନାମରେ ମହିଳାମାନଙ୍କୁ ୫୦ ହଜାର ଟଙ୍କା ଦେବାର ପ୍ରତିଶ୍ରୁତି ଦେଇ କେବଳ ୫ ହଜାର ଟଙ୍କା ଦେଇ ସରକାର ଠକିଛି। ମହିଳାମାନଙ୍କ ଆର୍ଥିକ ସୁରକ୍ଷାକୁ ମଜବୁତ କରିବା ପରିବର୍ତ୍ତେ ଦରବୃଦ୍ଧି ମାଧ୍ୟମରେ ସେମାନଙ୍କ ଦୁଃଖକୁ ଦ୍ୱିଗୁଣିତ କରାଯାଇଛି।ଏହି ଅବସରରେ ଚିନ୍ମୟ ସାହୁ କହିଥିଲେ ଯେ, ଆନ୍ତର୍ଜାତୀୟ ବଜାରରେ ତେଲ ଦର କମିଥିବା ସତ୍ତ୍ୱେ ତାହାର ଲାଭ ସାଧାରଣ ଲୋକଙ୍କୁ ମିଳିନାହିଁ। ଡବଲ୍‌ ଇଞ୍ଜିନ ସରକାର ତେଲ କମ୍ପାନୀମାନଙ୍କ ସ୍ୱାର୍ଥରେ କାମ କରୁଛି ବୋଲି ସେ ଅଭିଯୋଗ କରିଥିଲେ।ସେହିପରି ଇପ୍ସୀତା ସାହୁ କହିଥିଲେ ଯେ, ଲକ୍ଷାଧିକ ଛାତ୍ରଛାତ୍ରୀ ହଷ୍ଟେଲରେ ରହୁଥିବାରୁ କମନ୍ ମେସ୍‌ର ଖର୍ଚ୍ଚ ବଢ଼ିବ ଓ ମାସିକ ଖର୍ଚ୍ଚର ଭାର ବଢ଼ିଯିବ। ଯଦି ଏଲପିଜି ଯୋଗାଣ ସୁନିଶ୍ଚିତ କରାଯିବ ନାହିଁ, ତେବେ ଆଗାମୀ ଦିନରେ ସାରା ରାଜ୍ୟରେ ବିଶାଳ ଆନ୍ଦୋଳନ କରାଯିବ ବୋଲି ସେ ସତର୍କ କରିଥିଲେ।

Related Posts