ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଆସନ୍ତାକାଲି ଦେଶବ୍ୟାପୀ ମେଡିକାଲ ଷ୍ଟୋର ଧର୍ମଘଟ । ତେବେ କେମିଷ୍ଟ, ଫାର୍ମାସିଷ୍ଟ ଏବଂ ଔଷଧ ବିତରକଙ୍କ ପ୍ରତିନିଧିତ୍ୱ କରୁଥିବା ଅଲ୍ ଇଣ୍ଡିଆ ଅର୍ଗାନାଇଜେସନ୍ ଅଫ୍ କେମିଷ୍ଟ ଆଣ୍ଡ୍ ଡ୍ରଗିଷ୍ଟ (ଏଆଇଓସିଡି) ୨୦ ମେ’ ବୁଧବାର ଦେଶବ୍ୟାପୀ ଧର୍ମଘଟ ଡାକରା ଦେଇଛି। ଏହି ଧର୍ମଘଟ ଦେଶର ଅନେକ ସ୍ଥାନରେ ଔଷଧ ଯୋଗାଣକୁ ପ୍ରଭାବିତ କରିପାରେ। ସଂଗଠନ କହିଛି ଯେ, ଇ-ଫାର୍ମାସି ଏବଂ ଇନଷ୍ଟାଣ୍ଟ ମେଡିସିନ୍ ଡେଲିଭରି ପ୍ଲାଟଫର୍ମଗୁଡ଼ିକୁ ପରିଚାଳନା କରୁଥିବା ନିୟମାବଳୀରେ ଥିବା ତ୍ରୁଟି ପ୍ରତି କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏହି ପ୍ରତିବାଦ କରାଯାଉଛି।

ଏଆଇଓସିଡି ଦାବି କରିଛି ଯେ ଏହି ତ୍ରୁଟିଗୁଡ଼ିକ ଅନଲାଇନ୍ ଫାର୍ମାସି କମ୍ପାନିଗୁଡ଼ିକୁ ପର୍ଯ୍ୟାପ୍ତ ତଦାରଖ ବିନା କାର୍ଯ୍ୟ କରିବାକୁ ଅନୁମତି ଦେଉଛି।ରିପୋର୍ଟ ଅନୁଯାୟୀ, ଦିଲ୍ଲୀରେ ପ୍ରାୟ ୧୫ ହଜାର ଏବଂ ସାରା ଦେଶରେ ପ୍ରାୟ ୭ ଲକ୍ଷରୁ ୮ ମେଡିକାଲ୍ ଷ୍ଟୋର ଅଛି, ଯାହା ବନ୍ଦ ରହିପାରେ। ସଂଗଠନର ଅସନ୍ତୋଷ ମୁଖ୍ୟତଃ ଦୁଇଟି ବିଜ୍ଞପ୍ତି ଜିଏସ୍‌ଆର୍ ୨୨୦(ଇ) ଏବଂ ଜିଏସ୍‌ଆର୍ ୮୧୭(ଇ)କୁ ନେଇ ହୋଇଛି।

ସେମାନେ ଯୁକ୍ତି ଦିଅନ୍ତି ଯେ, ସରକାର ତୁରନ୍ତ ଉଭୟ ବିଜ୍ଞପ୍ତିକୁ ପ୍ରତ୍ୟାହାର କରିବା ଉଚିତ। କାରଣ ଏହି ବ୍ୟବସ୍ଥାଗୁଡ଼ିକ ଅନଲାଇନ୍ ଫାର୍ମାସି କମ୍ପାନିଗୁଡ଼ିକୁ ବେଆଇନ ଭାବେ କାର୍ଯ୍ୟ କରିବାକୁ ଦେଉଛି। ଏଥିରେ ଏପରି କୌଣସି ସ୍ପଷ୍ଟ ଏବଂ ବ୍ୟାପକ ଆଇନ ନାହିଁ ଯାହା ପ୍ରେସକ୍ରିପସନ କିପରି ଯାଞ୍ଚ କରାଯିବ, କେଉଁ ନିୟମ ଅନୁଯାୟୀ ଔଷଧ ବଣ୍ଟନ କରାଯିବ ଏବଂ ଉଲ୍ଲଂଘନ ପାଇଁ ଉତ୍ତରଦାୟିତ୍ୱ କିପରି ନିର୍ଣ୍ଣୟ କରାଯିବ ତାହା ପରିଭାଷିତ କରୁନାହିଁ।

ସେପଟେ ଏଆଇଓସିଡିର ସାଧାରଣ ସମ୍ପାଦକ ରାଜୀବ ସିଂଘଲ ଦର୍ଶାଇଛନ୍ତି ଯେ, ଇ-ଫାର୍ମାସି ଏବଂ ତୁରନ୍ତ ବିତରଣ ଆପ୍ ମଧ୍ୟ ଭୁଲ୍ ତଥା ନକଲି ପ୍ରେସକ୍ରିପସନ ସହିତ ଔଷଧ ବଣ୍ଟନ କରୁଛନ୍ତି। ଅନଲାଇନ୍ ଫାର୍ମାସିଗୁଡ଼ିକ ପାରମ୍ପରିକ ମେଡିକାଲ୍ ଷ୍ଟୋର ପରି ସମାନ କଠୋର ନିୟମ ଅନୁଯାୟୀ କାର୍ଯ୍ୟ କରିବା ଉଚିତ। ଜିଏସ୍‌ଆର୍ ୮୧୭(ଇ)କୁ ବିବାଦ ଉଠିଛି। ଏହି ଡ୍ରାଫ୍ଟ ବିଜ୍ଞପ୍ତି ଅଗଷ୍ଟ ୨୦୧୮ ରେ ଜାରି କରାଯାଇଥିଲା। ଏହାର ଉଦ୍ଦେଶ୍ୟ ଥିଲା ଭାରତରେ ଇ-ଫାର୍ମାସି ପାଇଁ ଏକ ନିୟାମକ ଢାଞ୍ଚା ସ୍ଥାପନ କରିବା। ଏଥିରେ ଅନଲାଇନ୍ ଫାର୍ମାସିର ପଞ୍ଜୀକରଣ, ପ୍ରେସକ୍ରିପସନ୍ ଯାଞ୍ଚ୍ ପାଇଁ ନିୟମ ସ୍ଥିର କରିବା, କାର୍ଯ୍ୟକ୍ଷମ ସୁରକ୍ଷା ମାନଦଣ୍ଡ ସ୍ଥାପନ କରିବା ଏବଂ ଉଲ୍ଲଂଘନ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏକ ବ୍ୟବସ୍ଥା ସ୍ଥାପନ କରିବାର ପ୍ରସ୍ତାବ ଦିଆଯାଇଥିଲା।