ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗ ଫାଲ୍ଟା ବିଧାନସଭା ଆସନରେ ହେବାକୁ ଥିବା ପୁନଃମତଦାନ ପୂର୍ବରୁ TMC ପ୍ରାଥି ଜାହାଙ୍ଗୀର ଖାନ୍ ନିର୍ବାଚନ ମୈଦାନରୁ ଓହରି ଯାଇଛନ୍ତି । ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା । ଏହା ମଧ୍ୟରେ ଟିଏମସିର ସ୍ପଷ୍ଟୀକରଣଏହି ସମ୍ବେଦନଶୀଳ ପ୍ରସଙ୍ଗରେ ତୃଣମୂଳ କଂଗ୍ରେସ ସୋସିଆଲ ମିଡିଆ ଜରିଆରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ପାର୍ଟି ପକ୍ଷରୁ କୁହାଯାଇଛି ଯେ, ନିର୍ବାଚନ ନଲଢ଼ିବା ପାଇଁ ଜାହାଙ୍ଗୀର ଖାନ୍ ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାହା ସମ୍ପୂର୍ଣ୍ଣ ରୂପେ ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି, ଏଥିରେ ଦଳର କୌଣସି ଭୂମିକା ନାହିଁ। ଏହା ସହିତ ଟିଏମସି ଅଭିଯୋଗ କରିଛି ଯେ, ଗତ ମେ ୪ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରଠାରୁ ଫାଲ୍ଟା ଅଞ୍ଚଳରେ ଦଳର ପ୍ରାୟ ୧୦୦ରୁ ଅଧିକ ସକ୍ରିୟ କର୍ମୀଙ୍କୁ ଗିରଫ କରାଯାଇଛି ।
ସେପଟେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ଫାଲଟା ନିର୍ବାଚନ ମଣ୍ଡଳୀରେ ବ୍ୟାପକ ହିଂସା, ଭୋଟରଙ୍କୁ ଭୟଭୀତ କରିବା ଏବଂ ଇଭିଏମ୍ (EVM) ଟାମ୍ପରିଂ ଭଳି ଗମ୍ଭୀର ଅଭିଯୋଗ ଆସିଥିଲା। ଏହାପରେ ଭାରତୀୟ ନିର୍ବାଚନ କମିଶନ (ECI) ଏହି ଆସନର ସମସ୍ତ ୨୮୫ଟି ବୁଥରେ ମେ ୨୧ ତାରିଖରେ ପୁନଃମତଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି କାରଣରୁ ମେ ୪ ତାରିଖରେ ରାଜ୍ୟର ଅନ୍ୟ ଆସନଗୁଡ଼ିକର ଫଳାଫଳ ପ୍ରକାଶ ପାଇଥିଲେ ମଧ୍ୟ ଫାଲଟାର ଫଳାଫଳ ସ୍ଥଗିତ ରଖାଯାଇଥିଲା।
ଜାହାଙ୍ଗୀର ଖାନଙ୍କ ବିରୋଧରେ ନିର୍ବାଚନ ସମୟରେ ଏକାଧିକ ଅପରାଧିକ ମାମଲା ଏବଂ ଏଫ୍ଆଇଆର୍ (FIR) ରୁଜୁ କରାଯାଇଥିଲା। ପୁନଃମତଦାନ ପୂର୍ବରୁ ନିଜର ଗିରଫଦାରୀକୁ ଏଡ଼ାଇବା ପାଇଁ ସେ କଲିକତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତାଙ୍କ ଓକିଲ କୋର୍ଟରେ ଦଲିଲ ରଖିଥିଲେ ଯେ ଖାନଙ୍କୁ ରାଜନୈତିକ ଉଦ୍ଦେଶ୍ୟ ରଖି ଟାର୍ଗେଟ କରାଯାଉଛି। ହାଇକୋର୍ଟ ମାମଲାର ଶୁଣାଣି କରି ନିର୍ବାଚନ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଜାହାଙ୍ଗୀରଙ୍କ ବିରୁଦ୍ଧରେ କୌଣସି କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ବା ଗିରଫ ନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
