ଭୁବନେଶ୍ୱର: ବାଲେଶ୍ୱରର ପୂର୍ବତନ ସାଂସଦ ତଥା ବରିଷ୍ଠ ନେତା ରବୀନ୍ଦ୍ର ଜେନାଙ୍କ ବିଜେପିରେ ଯୋଗଦାନ ପରେ ରାଜନୈତିକ ମହଳରେ ଚର୍ଚ୍ଚା ତିବ୍ର ହୋଇଛି। ବିଶେଷ କରି ତାଙ୍କ ପତ୍ନୀ ଓ ବସ୍ତା ବିଧାୟିକା ସୁବାସିନୀ ଜେନାଙ୍କ ରାଜନୈତିକ ଅବସ୍ଥାନକୁ ନେଇ ସମସ୍ତଙ୍କ ନଜର ରହିଥିଲା। ସ୍ୱାମୀଙ୍କ ଦଳ ପରିବର୍ତ୍ତନ ପରେ ସେ କେଉଁ ଦଳ ସହିତ ରହିବେ ନେଇ ବିଭିନ୍ନ ଅନୁମାନ ହେଉଥିଲା।ତେବେ ଏହି ସମସ୍ତ ଅନୁମାନକୁ ନାକୋଚ କରି ସୁବାସିନୀ ଜେନା ସ୍ପଷ୍ଟ କରିଛନ୍ତି ଯେ ସେ ବିଜୁ ଜନତା ଦଳ ସହିତ ଅଟୁଟ ଭାବରେ ଜଡିତ ଅଛନ୍ତି। ସେ କହିଛନ୍ତି ଯେ ନବୀନ ପଟ୍ଟନାୟକ ତାଙ୍କର ନେତା ଓ ସେ ବିଜେଡି ସହିତ ରହିବେ। ଦଳ ଉପରେ ତାଙ୍କର ପୂର୍ଣ୍ଣ ଆସ୍ଥା ରହିଥିବା ସେ ଉଲ୍ଲେଖ କରିଛନ୍ତି।ସୁବାସିନୀ ଜେନା ଆହୁରି କହିଛନ୍ତି ଯେ ସେ ଜଣେ ଶୃଙ୍ଖଳିତ କର୍ମୀ ଭାବେ ଦଳର ନିର୍ଦ୍ଦେଶ ଓ ଆଦର୍ଶକୁ ସମ୍ମାନ କରନ୍ତି। ଦଳର ଶୃଙ୍ଖଳାରେ ବାନ୍ଧି ହୋଇ ସେ କାମ କରୁଛନ୍ତି ଓ ଆଗକୁ ମଧ୍ୟ ଦଳ ଯାହା ନିଷ୍ପତ୍ତି ନେବ, ସେ ତାହାକୁ ମାନିବେ ବୋଲି କହିଛନ୍ତି।ରବୀନ୍ଦ୍ର ଜେନାଙ୍କ ବିଜେପିରେ ଯୋଗଦାନ ପରେ ରାଜ୍ୟର ରାଜନୀତିରେ ଏହା ନେଇ ବିଭିନ୍ନ ଚର୍ଚ୍ଚା ଚାଲିଥିବାବେଳେ ସୁବାସିନୀ ଜେନାଙ୍କ ଏହି ସ୍ପଷ୍ଟ ମତ ରାଜନୈତିକ ମହଳରେ ନୂଆ ଆଲୋଚନାର ସୃଷ୍ଟି କରିଛି। ଏହା ସହିତ ବସ୍ତା ଅଞ୍ଚଳରେ ମଧ୍ୟ ଏହି ପ୍ରସଙ୍ଗ ନେଇ ଚର୍ଚ୍ଚା ଜୋରଦାର ହୋଇଛି।





