ଭୁବନେଶ୍ବର(ସତ୍ୟପାଠ ବ୍ୟୁରୋ): ଟିଏମ୍ସି ସୁପ୍ରିମୋ ତଥା ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣିଥରେ ବିଜେପିକୁ ନେଇ ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ମମତା କହିଛନ୍ତି ଯେ ବିଜେପି ଖୁବ୍ ଶୀଘ୍ର କେନ୍ଦ୍ରରୁ କ୍ଷମତାରୁ ବିତାଡ଼ିତ ହେବାକୁ ଯାଉଛି। ମମତା ମଙ୍ଗଳବାର ତାଙ୍କ ବାସଭବନରେ ତୃଣମୂଳ କଂଗ୍ରେସ ବିଧାୟକଙ୍କୁ ସମ୍ବୋଧିତ କରି ଏହା କହିଥିବାବେଳେ ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ରାସ୍ତାକଡ଼ର ହକର୍ ବିଜେପି ସରକାରରେ ଟାର୍ଗେଟ ଥିବା କହିଛନ୍ତି। ମମତାଙ୍କ ପୁତୁରା ଅଭିଷେକ ବାନାର୍ଜୀ ମଧ୍ୟ ବୈଠକରେ ଉପସ୍ଥିତ ଥିବାବେଳେ କୌଣସି ଧମକ ଆଗରେ ହାର ମାନିବେ ନାହିଁ ବୋଲି କହିଛନ୍ତି। ଅଭିଷେକଙ୍କୁ ବେଆଇନ ନିର୍ମାଣ ନେଇ ନିକଟରେ ନୋଟିସ ମିଳିଥିଲା।ହକର ଷ୍ଟଲଗୁଡ଼ିକୁ ବୁଲଡୋଜର ମାଧ୍ୟମରେ ଭାଙ୍ଗି ଦିଆଯାଉଛି ବୋଲି ମମତା କହିଛନ୍ତି।
ସେ ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ବାଚନ ପରବର୍ତ୍ତୀ ହିଂସା ଓ ଅବୈଧ ଜବରଦଖଲ ବିରୋଧରେ କାର୍ଯ୍ୟାନୁଷ୍ଠାନର ଅଭିଯୋଗ ଆଣିଛନ୍ତି। ଶୁଭେନ୍ଦୁ ଅଧିକାରୀ ନେତୃତ୍ୱାଧୀନ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ମମତା ତୀବ୍ର ପ୍ରତିକ୍ରିୟା ରଖି କହିଛନ୍ତି ଯେ, ବିଜେପି ସାମ୍ବିଧାନିକ ଚିନ୍ତାଧାରା ଓ ମୂଲ୍ୟବୋଧ ସହିତ ହେର୍ଫେର୍ କରୁଛି। । ମମତା ଆହୁରି ମଧ୍ୟ କହିଛନ୍ତି ଯେ, କେନ୍ଦ୍ରର ଶାସକ ଏନ୍ଡିଏ ମେଣ୍ଟର ନେତୃତ୍ୱ ନେଉଥିବା ବିଜେପି ନିକଟ ଭବିଷ୍ୟତରେ କେନ୍ଦ୍ରରେ କ୍ଷମତା ହରାଇବ। ଆଗାମୀ ଦିନରେ ଦିଲ୍ଲୀରେ ବିଜେପିକୁ କ୍ଷମତାରୁ ହଟାଇ ଦିଆଯିବ ବୋଲି ମମତା ବାନାର୍ଜୀ କହିଛନ୍ତି ।
ସେପଟେ ମମତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଟିଏମ୍ସିର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ଯୋଗ ଦେଇ କୋଲକାତା ମ୍ୟୁନିସିପାଲ କର୍ପୋରେସନ (କେଏମସି) ଦ୍ୱାରା ତାଙ୍କୁ ପଠାଯାଇଥିବା ନୋଟିସ ସମ୍ପର୍କରେ କହିଛନ୍ତି ଯେ, ସେମାନଙ୍କର ଯାହା ଇଚ୍ଛା ତାହା କରନ୍ତୁ। ମୋ ଘର ଭାଙ୍ଗି ଦିଅନ୍ତି କି ମୋତେ ନୋଟିସ ପଠାନ୍ତୁ, ମୁଁ ଏସବୁ ପାଇଁ ସେମାନଙ୍କ ଆଗରେ ମୁଣ୍ଡ ନୁଆଁଇବି ନାହିଁ। ବିଜେପି ବିରୋଧରେ ଲଢ଼େଇ ଜାରି ରହିବ। ତେବେ ଅଭିଷେକଙ୍କୁ ଘର ଭାଙ୍ଗିବାକୁ ନୋଟିସ ପଠାଇଥିବା କେଏମସି ଏବେବି ଟିଏମସିର ନିୟନ୍ତ୍ରଣରେ ଅଛି ଓ ମମତାଙ୍କ ଘନିଷ୍ଠ ସହଯୋଗୀ ଭାବେ ବିବେଚିତ ଦଳର ବିଧାୟକ ଫିରହାଦ ହାକିମ କୋଲକାତାର ମେୟର।
