ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଚିନ୍ତାରେ ଆମେରିକାରେ କାମ କରୁଥିବା ଅଧିକାଂଶ ଭାରତୀୟ ଟେକ୍ ପ୍ରଫେସନାଲ୍। ଟେକ୍ ସେକ୍ଟରରେ ଆସିଥିବା ଛଟେଇର ନୂଆ ଲହର ସେଠାରେ ରହୁଥିବା ହଜାର ହଜାର ଭାରତୀୟଙ୍କ ନିଦ ହଜାଇଛି । ମେଟା, ଆମାଜନ୍ ଓ ଲିଙ୍କଡଇନ୍ ପରି ବଡ଼ ଟେକ୍ କମ୍ପାନିରେ ଏଆଇ ଓ ଅଟୋମେସନ୍ କାରଣରୁ ବଡ଼ ଧରଣରେ ଛଟେଇ ହେଉଛି । ଭାରତୀୟ ବୃତ୍ତିଧାରୀଙ୍କ ପାଇଁ ନିଯୁକ୍ତି ଯିବାର ଅର୍ଥ କେବଳ ଆର୍ଥିକ କ୍ଷତି ନୁହେଁ ବରଂ ଦେଶ ଛାଡ଼ିବା ପାଇଁ କାଉଣ୍ଟଡାଉନ ଆରମ୍ଭ । ଆମେରିକାରେ କାମ କରୁଥିବା ଅଧିକାଂଶ ଭାରତୀୟ ଟେକ୍ ପ୍ରଫେସନାଲ୍ H-1B ଭିସାରେ ଅଛନ୍ତି ।

ଏହା ସିଧାସଳଖ ସେମାନଙ୍କ କମ୍ପାନି ସହ ଜଡ଼ିତ । ଚାକିରି ଯିବା ପରେ ସେମାନଙ୍କ ସାମନାରେ ୬୦ ଦିନର ଅବଧି ସରିବା ଆରମ୍ଭ ହୁଏ । ଆମେରିକା ଇମିଗ୍ରେସନ ନିୟମ ଅନୁସାରେ, ସେମାନଙ୍କୁ ଭିସା ଟ୍ରାନ୍ସଫର କରିବା ପାଇଁ କୌଣସି ଅନ୍ୟ କମ୍ପାନି ଖୋଜିବା ପାଇଁ କମ ସମୟ ମିଳିଥାଏ । ଯଦି ଏହି ସମୟ ମଧ୍ୟରେ ସେମାନେ ନୂଆ ଚାକିରି ଖୋଜିବାରେ ବିଫଳ ହୁଅନ୍ତି, ତେବେ ଆଇନତଃ ସେମାନଙ୍କୁ ଆମେରିକା ଛାଡ଼ିବାକୁ ପଡ଼ିବ ।

ଆମେରିକାର ନାଗରିକତା ଏବଂ ପ୍ରବାସନ ସେବା ନିୟମାବଳୀ ଅନୁଯାୟୀ, ଚାକିରିରୁ ବହିଷ୍କୃତ H-1B କର୍ମଚାରୀମାନେ ସାଧାରଣତଃ ୬୦ ଦିନର ଗ୍ରେସ୍ ପିରିୟଡ୍ କିମ୍ବା ସେମାନଙ୍କର I-94 ସ୍ଥିତି ବୈଧ ଥିବା ପର୍ଯ୍ୟନ୍ତ ରହିପାରିବେ । ଏହି ୬୦ ଦିନର ଅବଧି କର୍ମଚାରୀଙ୍କ ଶେଷ କାର୍ଯ୍ୟ ଦିବସରେ ଆରମ୍ଭ ହୁଏ । ଏହି ସମୟ ମଧ୍ୟରେ ସେମାନେ ନୂଆ ଚାକିରି ଖୋଜିପାରିବେ, ଅନ୍ୟ ଭିସା ବର୍ଗ ପାଇଁ ଆବେଦନ କରିପାରିବେ କିମ୍ବା ଦେଶ ଛାଡିବାକୁ ବାଧ୍ୟ ହେବ । ମାନ୍ଦାବସ୍ଥା ଏବଂ ନିଯୁକ୍ତି ସଂକଟ ଯୋଗୁଁ ଏହି ଦୁଇ ମାସର ଅବଧି ଶୀଘ୍ର ସରିଯାଏ ।

ଅନେକ ଜଣ ସମୟ ବୃଦ୍ଧି କରିବା ପାଇଁ ଅସ୍ଥାୟୀ ଭାବରେ ବି-୨ ପର୍ଯ୍ୟଟକ ଭିସାକୁ ପରିବର୍ତ୍ତନ କରିବାକୁ ପସନ୍ଦ କରନ୍ତି । କିନ୍ତୁ ସାମ୍ପ୍ରତିକ ରିପୋର୍ଟ ଦର୍ଶାଉଛି ଯେ ଆମେରିକୀୟ ଅଧିକାରୀମାନେ ଏବେ ଏପରି ଆବେଦନଗୁଡ଼ିକୁ ଅଧିକ ଭଲ ଭାବରେ ଯାଞ୍ଚ କରୁଛନ୍ତି ଏବଂ ଅତିରିକ୍ତ ଡକ୍ୟୁମେଣ୍ଟେସନ୍ ଦାବି କରୁଛନ୍ତି । ସେପଟେ ଡାଟା ସାଇଟ୍ Layoffs.fyi ଅନୁଯାୟୀ, ଚଳିତ ବର୍ଷ ଏପର୍ଯ୍ୟନ୍ତ ଟେକ୍ ସେକ୍ଟରରେ ୧,୧୦,୦୦୦ରୁ ଅଧିକ କର୍ମଚାରୀ ଚାକିରି ହରାଇଛନ୍ତି । ଏଥିରୁ ଅଧିକାଂଶ ବିଦେଶୀ କର୍ମଚାରୀ ଥିବାବେଳେ ସେମାନଙ୍କ ମଧ୍ୟରେ ଭାରତୀୟଙ୍କ ସଂଖ୍ୟା ଅଧିକ।