ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ତାମିଲନାଡୁରେ ଶପଥ ଗ୍ରହଣ ବେଳେ କଂଗ୍ରେସ ବିଧାୟକ ଦେଲେ ନାରା। ତାଗିଦ କଲେ ରାଜ୍ୟପାଳ। ତେବେ ପ୍ରଥମ ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ ୨୩ ବିଧାୟକଙ୍କୁ ସାମିଲ କରାଯାଇଥିବା ବେଳେ, ଏଥିରେ ଦୁଇ କଂଗ୍ରେସ ବିଧାୟକ ସ୍ଥାନ ପାଇଛନ୍ତି। ଆଉ ଏହା ସହ ତାମିଲନାଡୁ‌ରେ ପ୍ରାୟ ୬୦ ବର୍ଷ ପରେ କଂଗ୍ରେସ ସରକାରରେ ସାମିଲ ହୋଇଛି। ତେବେ ଏସବୁ ଭିତରେ ଗୁରୁବାର ଶପଥ ଗ୍ରହଣ ସମାରୋହ ସମୟରେ ଏକ ନାଟକୀୟ ଘଟଣା ଘଟିଥିଲା। କଂଗ୍ରେସ ବିଧାୟକ ରାଜେଶ କୁମାର ଶପଥ ଗ୍ରହଣ ସମୟରେ ରାଜୀବ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ନାଁରେ ନାରା ଲଗାଇଥିଲେ।

ଯାହାକୁ ନେଇ ବିରକ୍ତି ପ୍ରକାଶ କରିଥିଲେ ରାଜ୍ୟପାଳ। ଏସ ରାଜେଶ କୁମାର ଶପଥ ପତ୍ର ପଢ଼ିବା ସାରିବା ପରେ ହଠାତ୍ କଂଗ୍ରେସ ନେତା କାମରାଜ, ରାଜୀବ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ପ୍ରଶଂସାରେ ନାରା ଲଗାଇଥିଲେ। ସେ କହିଥିଲେ, ‘କାମରାଜ ଅମର ରହେ, ଭାରତ ରତ୍ନ ରାଜୀବ ଗାନ୍ଧୀ ଅମର ରହେ ଏବଂ ଜନନେତା ରାହୁଲ ଗାନ୍ଧୀ ଜିନ୍ଦାବାଦ।’’ ହେଲେ ଏହା ଶୁଣିବା ମାତ୍ରେ ମଞ୍ଚ ଉପରେ ତାଙ୍କ ପାଖରେ ଛିଡ଼ା ହୋଇଥିବା ତାମିଲନାଡୁ ରାଜ୍ୟପାଳ ବିଶ୍ବନାଥ ଆର୍ଲେକର ତାଙ୍କୁ ଅଟକାଇ ତାଗିଦ କରିଥିଲେ ଏବଂ କହିଥିଲେ, ଏହା ଆପଣଙ୍କ ଶପଥର ଅଂଶ ନୁହେଁ।

ରାଜ୍ୟପାଳ ସ୍ମିତ ହସ ସହ ତାଙ୍କୁ କହିଥିଲେ ଯେ, ଆପଣଙ୍କୁ ଯେଉଁ ଲିଖିତ ଶପଥ ପତ୍ର ଦିଆଯାଇଛି, ତାହାକୁ ପଢ଼ନ୍ତୁ। ଏହା ପରେ ଏସ. ରାଜେଶ କୁମାର ମଧ୍ୟ ସେଠାରେ ଅଟକିଯାଇଥିଲେ ଏବଂ ଦସ୍ତକ୍ଷତ କରିବାକୁ ଚାଲିଯାଇଥିଲେ। ଶପଥ ଗ୍ରହଣ ସମାରୋହ ଲୋକ ଭବନରେ ଆୟୋଜିତ ହୋଇଥିଲା। ରାଜ୍ୟପାଳ ରାଜେନ୍ଦ୍ର ବିଶ୍ବନାଇ ଆର୍ଲେକର ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ଟିଭିକେ ବିଧାୟକ ଶ୍ରୀନାଥ, ଏସ. କମାଲୀ, ସି. ବିଜୟଲକ୍ଷ୍ମୀ ଏବଂ ଆର. ଭି. ରଞ୍ଜିତକୁମାର ପ୍ରଥମେ ମନ୍ତ୍ରୀ ପଦ ପାଇଁ ଶପଥ ନେଇଥିଲେ। ତାଙ୍କ ପରେ କଲ୍ଲିପୁରରୁ କଂଗ୍ରେସର ଦୁଇ ବିଧାୟକ ଏସ. ରାଜେଶ କୁମାର ଏବଂ ମୈଲରୁ ନିର୍ବାଚିତ ପି. ବିଶ୍ବନାଥନ ମଧ୍ୟ ମନ୍ତ୍ରୀ ପଦ ପାଇଁ ଶପଥ ନେଇଥିଲେ।