ଭୁବନେଶ୍ୱର:ଆସନ୍ତା ୧୬ ତାରିଖରେ ହେବାକୁ ଥିବା ରାଜ୍ୟସଭା ନିର୍ବାଚନ ପାଇଁ ଓଡ଼ିଶା ରାଜନୀତି ତୀବ୍ର ହୋଇଉଠିଛି। ଓଡ଼ିଶା ବିଧାନସଭାରେ ସକାଳ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟ୍ ଗ୍ରହଣ ହେବାକୁ ଥିବା ବେଳେ ଶାସକ ବିଜେପି, ମୁଖ୍ୟ ବିରୋଧୀ ବିଜେଡି ଏବଂ କଂଗ୍ରେସ ମଧ୍ୟ ନିଜ ନିଜ କୌଶଳ ତୟାରି କରୁଛନ୍ତି।ଏହି ପରିପ୍ରେକ୍ଷିତରେ ଓଡ଼ିଶା କଂଗ୍ରେସର ବିଧାୟକମାନେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶରେ କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ପହଞ୍ଚିଛନ୍ତି। ସେମାନେ ସେଠାରେ ଏକ ହୋଟେଲରେ ରହୁଥିବା ବେଳେ ଭୋଟ୍ ପୂର୍ବରୁ ଓଡ଼ିଶା ବିଧାନସଭାକୁ ଫେରିବେ।କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଆଜି ବେଙ୍ଗାଲୁରୁରେ ଓଡ଼ିଶାର କଂଗ୍ରେସ ବିଧାୟକମାନଙ୍କ ସହ ଭେଟି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ। ପରେ ସେ ଗଣମାଧ୍ୟମକୁ କହିଥିଲେ ଯେ, ପ୍ରାୟ ୧୪ରୁ ୧୫ ଜଣ ଓଡ଼ିଶାର କଂଗ୍ରେସ ବିଧାୟକ ବେଙ୍ଗାଲୁରୁରେ ଅଛନ୍ତି ଏବଂ ସେମାନଙ୍କ ସହ ସମ୍ପର୍କ ରଖି ତାଙ୍କର ଯତ୍ନ ନିଆଯାଉଛି। ରାଜ୍ୟସଭା ନିର୍ବାଚନରେ ସେମାନେ କଂଗ୍ରେସ, ବିଜେଡି ଓ ସିପିଆଇ ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ୍ ଦେବେ ବୋଲି ସେ କହିଛନ୍ତି।ଅନ୍ୟପଟେ ଭାରତୀୟ ଜନତା ପାର୍ଟି ମଧ୍ୟ ନିର୍ବାଚନ ପାଇଁ ପୂରା ପ୍ରସ୍ତୁତି ନେଇଛି। ଦଳ ପକ୍ଷରୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ସୁଜିତ କୁମାରଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ ସମର୍ଥନ ଦେବାକୁ ଘୋଷଣା କରାଯାଇଛି। ଏହି ସନ୍ଦର୍ଭରେ ବିଜେପି ଆଜି ହୁଇପ୍ ଜାରି କରିଛି। ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ ସମସ୍ତ ବିଜେପି ବିଧାୟକଙ୍କୁ ୧୬ ମାର୍ଚ୍ଚରେ ବିଧାନସଭାରେ ଉପସ୍ଥିତ ରହିବାକୁ ଓ ଭୁବନେଶ୍ୱର ଛାଡ଼ି ନଯିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଏପରିକି ଆଜି ନବୀନ ନିବାସରେ ବିଜେଡିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଦଳର ବିଧାୟକମାନେ ଯୋଗଦେଇ ଆଗାମୀ ରାଜ୍ୟସଭା ନିର୍ବାଚନ ସମ୍ପର୍କରେ ଆଲୋଚନା କରିଥିଲେ।





