ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ):ବ୍ରହ୍ମପୁରରେ ପୋଲିସକୁ ଅପରାଧୀଙ୍କ ଖୋଲା ଚ୍ୟାଲେଞ୍ଜ। ବିଚ୍ ରାସ୍ତାରେ ଯୁବକକୁ ହାଣିଲେ ଦୁର୍ବୃତ୍ତ । ତେବେ ବଡ଼ବଜାର ଥାନା ଅଞ୍ଚଳ‌ର ଅମ୍ବିକାନଗରରେ ଆଜି ରାତିରେ ଜଣେ ଯୁବକଙ୍କୁ ସର୍ବସାଧାରଣଙ୍କ ଉପସ୍ଥିତିରେ ରାସ୍ତା ଉପରେ ଅତି ଅମାନୁଷିକ ଭାବେ ଚୋଟ ପରେ ଚୋଟ ପକାଇ ହତ୍ୟା ଉଦ୍ୟମ କରାଯାଇଛି। ରାସ୍ତାକଡ଼ରେ ଜଣେ ଯୁବକ ହାଣୁଥିବା ବେଳେ ଅନ୍ୟ ଜଣେ ଗୋଇଠା ମାରି ଚାଲିଥିବାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

ଆକ୍ରମଣରେ ଗୁରୁତର ହୋଇଥିବା ଯୁବକଜଣକ ମଙ୍ଗଳା ବେହେରା, ତାଙ୍କ ଘର ହରିଡ଼ାଖଣ୍ଡି ଜାଇମିଲ୍‌ ଅଞ୍ଚଳରେ ବୋଲି ଜଣାପଡ଼ିଛି।ରାତି ପ୍ରାୟ ୯ଟାରେ ମଙ୍ଗଳା ଫାଷ୍ଟଫୁଡ୍‌ ଖାଇବାକୁ ଅମ୍ବିକାନଗର ଛକକୁ ଯାଇଥିଲେ। ଏହି ସମୟରେ ୨ରୁ ୩ ଜଣ ଯୁବକ ବାଇକ୍‌ରେ ଆସି ତାଙ୍କୁ ଗାଳିଗୁଲଜ କରିବା ସହ କାତିରେ ଆକ୍ରମଣ କରିଥିଲେ। ରାସ୍ତା ଉପରେ ପକାଇ ୧୦ରୁ ଅଧିକ ଚୋଟ ପକାଇଥିଲେ।

ଲହୁଲୁହାଣ ଅବସ୍ଥାରେ ମଙ୍ଗଳା ଛାଡ଼ିଦେବାକୁ କାକୁତିମିନତି ହୋଇଥିଲେ ହେଁ ରକ୍ତମୁଖା ଆକ୍ରମଣକାରୀମାନେ ତାଙ୍କୁ ଛାଡ଼ି ନଥିଲେ। ଅଚେତ ହୋଇଯିବା ପରେ ସେମାନେ ଚମ୍ପଟ ମାରିଥିଲେ। ମଙ୍ଗଳାଙ୍କୁ ବର୍ତ୍ତମାନ ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି। ଅଭିଯୁକ୍ତମାନଙ୍କୁ ଧରିବାକୁ ବିଭିନ୍ନ ସ୍ଥାନରେ ପୁଲିସ ଧରପଗଡ଼ ଆରମ୍ଭ କରିଛି। ଏସ୍‌ପି ଡା.ଶରବଣା ବିବେକ ଏମ୍‌. ବ୍ରହ୍ମପୁର ବଡ଼ଡାକ୍ତରଖାନାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।