ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ବିଜେଡିରୁ ଇସ୍ତଫା ଦେବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର୍ ଧରିଛି । ଏହା ମଧ୍ୟରେ ବିଜେଡିର ବରିଷ୍ଠ ବିଧାୟକ ପ୍ରମିଳା ମଲ୍ଲିକ ମଧ୍ୟ ଦେବାଶିଷ ସାମନ୍ତରାୟଙ୍କୁ କଟାକ୍ଷ କରିଥିବାର ଦେଖିବାକୁ ମିଳିଛି । ତେବେ ସେ କହିଛନ୍ତି, ବିଜେଡିରେ ଦେବାଶିଷଙ୍କୁ ସବୁ ପଦ ପଦବୀ ମିଳିଛି । ବିଜେପି ଯାଉଛନ୍ତି ବୋଧ ହୁଏ, ପ୍ରଧାନମନ୍ତ୍ରୀ କି ରାଷ୍ଟ୍ରପତି ପଦ ଖୁବ୍ ଶୀଘ୍ର ପାଇବେ । ଦେବାଶିଷ ସାମନ୍ତରାୟ ନିଶାଗ୍ରସ୍ତ ଅବସ୍ଥାରେ ସବୁବେଳେ ରୁହନ୍ତି । ନିଶାସକ୍ତ ହୋଇ କ’ଣ କେଉଁଠି ଭୁଲ୍ କରିଥିବେ ସେଥିପାଇଁ ବିଜେପି ଓ୍ବାସିଂମେସିନ୍କୁ ଯାଉଛନ୍ତି । ବିଧାୟକ, ସାଂସଦ ହୁଅନ୍ତି ଲୋକଙ୍କ ସେବା କରିବାକୁ, ତାଙ୍କ ସେବା ପାଇଁ ନୁହେଁ ।
ଯେତେବେଳେ ବିଜେଡି ସରକାର ପଳାଇଲା ସେଦିନ ଠାରୁ ସେ ବିଜେପି ଲିଙ୍କ୍ରେ ଅଛନ୍ତି । ପଦପଦବୀ ପାଇବା ପାଇଁ ନବୀନ ବାବୁଙ୍କ ଗୋଡ ତଳେ ପଡି ନେଇଗଲେ । ଆଉ ୱାକଫ୍ ପ୍ରସଙ୍ଗରେ ଆଲୋଚନା କରିପାରିଲେ ନାହିଁ । ତାଙ୍କୁ ଆମେ ବାରମ୍ବାର କହିଛୁ ନିଶା ଛାଡନ୍ତୁ ବୋଲି । ଦଳକୁ ରୋଜଗାର କରିବାକୁ ଆସିଥିଲେ । ଓଡ଼ିଶା ସ୍ଵାର୍ଥ ସମ୍ବଳିତ କେଉଁ ପ୍ରସଙ୍ଗ ସେ ସଂସଦରେ ଉଠାଇଛନ୍ତି ବୋଲି ପ୍ରଶ୍ନ କଲେ ପ୍ରମିଳା । ଏଭଳି ଲୋକ ଦଳ ଛାଡିଲେ ପ୍ରଭାବ ପଡିବ ନାହିଁ ବୋଲି ମଧ୍ୟ ପ୍ରମିଳା କହିଛନ୍ତି ।
