ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ରାଜ୍ୟସଭା ସାଂସଦ ପଦରୁ ଦେବାଶିଷ ସାମନ୍ତରାୟ ଇସ୍ତଫା ଦେବାପରେ ଏବେ ଏହି ଆସନରେ ଉପନିର୍ବାଚନ ଅନୁଷ୍ଠିତ ହେବ | ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି | ଏହି ରାଜ୍ୟସଭା ଉପନିର୍ବାଚନ ପାଇଁ ଆସନ୍ତା ଜୁନ୍ ୧୮ ତାରିଖରେ ଭୋଟିଂ ହେବ | ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ଅନୁଯାୟୀ, ଜୁନ ୧ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ | ୮ ତାରିଖ ନାମାଙ୍କନର ଶେଷ ତାରିଖ ରହିଛି | ଏବଂ ଜୁନ୍ ୧୮ ତାରିଖରେ ଭୋଟିଂ ହୋଇ ସେହିଦିନ ଫଳାଫଳ ପ୍ରକାଶ ପାଇବ |
ତେବେ ଦେବାଶିଷ ସାମନ୍ତରାୟ ଗତ ୨୫ ତାରିଖରେ ବିଜୁ ଜନତା ଦଳ ଓ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ | ଏହାପରେ ଗତକାଲି ଅର୍ଥାତ ୨୬ ତାରିଖରେ ସେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି | ଦେବାଶିଷଙ୍କ ଇସ୍ତଫା ପରେ ଏହି ଆସନ ଖାଲି ପଡ଼ିଥିବାରୁ ଏବେ ଏଥିରେ ଉପନିର୍ବାଚନ ହେବାକୁ ଯାଉଛି | ଏହି ଆସନର କାର୍ଯ୍ୟକାଳ ୩ ଏପ୍ରିଲ ୨୦୩୦ ପର୍ଯ୍ୟନ୍ତ ରହିଛି |
