ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଝାରସୁଗୁଡ଼ା ପୌର ପରିଷଦର ନିର୍ବାହୀ ଅଧିକାରୀ (ଇଓ) ମାନସ ରଞ୍ଜନ ମଲ୍ଲିକଙ୍କୁ ମଙ୍ଗଳବାର ଅଚାନକ ପଦବୀରୁ ହଟାଇ ଦିଆଯାଇଛି। ରାଜ୍ୟ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାରି ଆଦେଶନାମା (ସଂଖ୍ୟା ୧୪୪୨/HUD) ଅନୁଯାୟୀ ତାଙ୍କୁ ପ୍ରଶାସନିକ ଆଧାରରେ ତୁରନ୍ତ ନିଜ ମୂଳ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗକୁ ଫେରାଇ ଦିଆଯିବା ସହ ଆଜି ଅପରାହ୍ନରୁ ହିଁ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି। ତାଙ୍କ ସ୍ଥାନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ସୌମେଶ ଆଚାର୍ଯ୍ୟଙ୍କୁ ପୌର ପରିଷଦର ନିର୍ବାହୀ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହି ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଉପରକୁ ସାଧାରଣ ମନେହେଉଥିଲେ ମଧ୍ୟ, ଏହା ପଛରେ ଥିବା କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ଏବଂ ଭିନ୍ନ ଏକ ରାଜନୈତିକ ସାଲିସ ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।ଏହି ଅଚାନକ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ଥାନୀୟ ମହଲରେ ଚର୍ଚ୍ଚା ଜୋର ଧରିବା ସହ ରାଜନୈତିକ ପାଣିପାଗ ସରଗରମ ହୋଇଛି।
ଗତ ଫେବୃଆରୀ ୪ ତାରିଖରେ ଉଭୟ ବିଜେପି ଏବଂ ବିଜେଡି କାଉନସିଲରମାନେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇ ଝାରସୁଗୁଡା ପୌର ପରିଷଦ ରେ ବ୍ୟାପକ ଦୁର୍ନୀତି ଅଭିଯୋଗ କରି ପୃଥକ ପୃଥକ ସ୍ମାରକପତ୍ର ପ୍ରଦାନ କରିଥିଲେ।
ବିଜେପି ନେତା ବିମଳେନ୍ଦୁ ଭୋଳ ଓ କାଉନସିଲରମାନଙ୍କ ଅଭିଯୋଗ ଅନୁଯାୟୀ, ସ୍ୱଚ୍ଛ ଭାରତ ମିଶନର ଗାଇଡ୍ଲାଇନ ବାହାରକୁ ଯାଇ ପ୍ରାୟ ୫୫.୪୪ ଲକ୍ଷ ଟଙ୍କାର ଶୌଚାଳୟ ଦୁର୍ନୀତି ହୋଇଛି। ଏହା ସହିତ ୧୦ଟି ଏଲ୍ଇଡି ବୋର୍ଡ କ୍ରୟରେ ୧.୨୦ କୋଟି ଏବଂ ଫଗିଂ ମେସିନ୍ କିଣାରେ ୪୮ ଲକ୍ଷ ଟଙ୍କାର ବ୍ୟାପକ ହରିଲୁଟ୍ ହୋଇଥିବା ଦଳ ଅଭିଯୋଗ କରିଥିଲା। ପୌର ପାଣ୍ଠିରୁ ବେଆଇନ ଭାବେ ଇନୋଭା ଗାଡ଼ି କିଣାଯିବା ଏବଂ ସ୍ୱର୍ଗତ ନବ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ନିୟମ ବାହାରେ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରାଯିବା ନେଇ ମଧ୍ୟ ବିଜେପି ପ୍ରଶ୍ନ ଉଠାଇଥିଲା।
ଅପରପକ୍ଷରେ, ବିଜେଡି କାଉନସିଲର ପବନ ଶର୍ମା ଓ ନବନୀତ କୌର ପ୍ରମୁଖ ଅଭିଯୋଗ କରିଥିଲେ ଯେ, ଝାଡ଼େଶ୍ୱର ମନ୍ଦିର ନିକଟରେ ଇକୋ-ପାର୍କ ନିର୍ମାଣ ପାଇଁ ପ୍ରକାଶିତ ଟେଣ୍ଡରରେ OPWD କୋଡ୍ର ଖୋଲାଖୋଲି ଉଲ୍ଲଂଘନ କରାଯାଇ ‘ଇ-ଟେଣ୍ଡର ଫିକ୍ସିଂ’ କରାଯାଇଛି। ନିର୍ବାହୀ ଅଧିକାରୀ ପୂର୍ବରୁ ବେଦାନ୍ତର କର୍ମଚାରୀ ଥିବାରୁ କମ୍ପାନୀଠାରୁ ହୋଲ୍ଡିଂ ଟ୍ୟାକ୍ସ ଆଦାୟ ନକରି ସାଲିସ୍ କରିଥିବା ଏବଂ ଗିଫ୍ଟ ଡିଡ୍ ସ୍ୱାକ୍ଷର ପାଇଁ ମୋଟା ଅଙ୍କର ଲାଞ୍ଚ ମାଗୁଥିବା ବିଜେଡି ଅଭିଯୋଗ କରିଥିଲା।
ପୌର ପରିଷଦରେ ଦୁର୍ନୀତିକୁ ନେଇ ବିଜେପି ପକ୍ଷରୁ ଭିଜିଲାନ୍ସ ତଦନ୍ତ ଦାବି ହୋଇଥିବା ବେଳେ ବିଜେଡି କାଉନସିଲରଙ୍କ ଅଭିଯୋଗ ଭିତ୍ତିରେ ଜିଲ୍ଲାପାଳ ଏକ ବିଭାଗୀୟ ତଦନ୍ତ ରିପୋର୍ଟ ଗୃହ ଓ ନଗର ଉନ୍ନୟନ ବିଭାଗକୁ ପଠାଇଥିଲେ। ତେବେ ଏହି ତୁରନ୍ତ ବଦଳି ପଛରେ ଜିଲ୍ଲା ବିଜେପିର ଦୁଇ ପ୍ରଭାବଶାଳୀ ନେତା ସୁରେଶ ପୂଜାରୀ ଓ ଟଙ୍କଧର ତ୍ରିପାଠୀଙ୍କ ମଧ୍ୟରେ ଚାଲିଥିବା ତୀବ୍ର ଆଭ୍ୟନ୍ତରୀଣ ଗୋଷ୍ଠୀ କନ୍ଦଳ ମୁଖ୍ୟ କାରଣ ବୋଲି ଚର୍ଚ୍ଚା ଜୋର ଧରିଛି। ନିର୍ବାହୀ ଅଧିକାରୀ ମାନସ ମଲ୍ଲିକ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଅତି ନିକଟତର ହୋଇ କାମ କରୁଥିବାରୁ ଅପର ଗୋଷ୍ଠୀର ପ୍ରଭାବ ଓ ଚାପରେ ଶେଷରେ ତାଙ୍କୁ ଏଠାରୁ ବିଦା ହେବାକୁ ପଡ଼ିଲା ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରୁଛନ୍ତି।
➡️ ସୁରେଶ-ଦୀପାଳିଙ୍କ ଗୋପନ ବୁଝାମଣା: ଟଙ୍କଧରଙ୍କୁ ଚେକ୍ମେଟ୍?
ତେବେ ଏହି ତୁରନ୍ତ ବଦଳି ପଛରେ କେବଳ ଦୁର୍ନୀତି ନୁହେଁ, ବରଂ ଝାରସୁଗୁଡ଼ା ରାଜନୀତିର ଏକ ବଡ଼ ଗୋପନୀୟ ସମୀକରଣ କାମ କରୁଥିବା ଆଲୋଚନା ହେଉଛି। ରାଜନୈତିକ ସମୀକ୍ଷକଙ୍କ ମତରେ, ବିଜେପିର ଦୁଇ ଶୀର୍ଷ ନେତା ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏବଂ ଟଙ୍କଧର ତ୍ରିପାଠୀଙ୍କ ମଧ୍ୟରେ ଚାଲିଥିବା ଆଭ୍ୟନ୍ତରୀଣ ଗୋଷ୍ଠୀ କନ୍ଦଳ ହିଁ ଏଥିପାଇଁ ମୁଖ୍ୟତଃ ଦାୟୀ।
ଚର୍ଚ୍ଚା ହେଉଛି ଯେ, ନିର୍ବାହୀ ଅଧିକାରୀ ମାନସ ମଲ୍ଲିକ ବିଜେପିର ଟଙ୍କଧର ତ୍ରିପାଠୀଙ୍କ ଗୋଷ୍ଠୀର ଅତି ନିକଟତର ହୋଇ କାର୍ଯ୍ୟ କରୁଥିଲେ, ଯେଉଁଥିରେ ବିଜେଡିର ସଂଖ୍ୟାଗରିଷ୍ଠତା ଥିବା ସତ୍ତ୍ୱେ ସେମାନଙ୍କୁ ଓ ପୂର୍ବତନ ବିଧାୟିକା ଦୀପାଳି ଦାସଙ୍କ ସମର୍ଥକଙ୍କୁ ଅଣଦେଖା କରାଯାଉଥିଲା। ଟଙ୍କଧରଙ୍କ ବଢୁଥିବା ଦବଦବାକୁ ରୋକିବା ପାଇଁ ମନ୍ତ୍ରୀ ସୁରେଶ ପୂଜାରୀ ପରୋକ୍ଷରେ ଦୀପାଳି ଦାସଙ୍କ ବିଜେଡି ଗୋଷ୍ଠୀର ଅସନ୍ତୋଷକୁ ସମର୍ଥନ କରିଥିଲେ। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ନଗର ଉନ୍ନୟନ ବିଭାଗ ଉପରେ ଚାପ ପକାଇ ଏହି ବଦଳି କରାଇଥିବା କୁହାଯାଉଛି।
ସ୍ୱର୍ଗତ ନବ ଦାସଙ୍କ ସମୟରୁ ପୌରପାଳିକା ଉପରେ ବିଜେଡିର ଏକଚାଟିଆ ପ୍ରଭାବ ରହିଆସିଛି। ବର୍ତ୍ତମାନ ଏହି ବଦଳି ଜରିଆରେ ଦୀପାଳି ଦାସଙ୍କ ଗୋଷ୍ଠୀ ପ୍ରମାଣିତ କରିବାକୁ ଚାହିଁଛି ଯେ ସହର ଉପରେ ସେମାନଙ୍କର ପ୍ରଭାବ ଏବେ ବି କାଏମ ଅଛି। ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ହୋଇ ମଧ୍ୟ ନିଜ ନିଜର ଗୋଷ୍ଠୀଗତ ସ୍ୱାର୍ଥ ପାଇଁ ସୁରେଶ ପୂଜାରୀ ଓ ଦୀପାଳି ଦାସଙ୍କ ସମର୍ଥକମାନେ ଏକାଠି ହୋଇ ତୃତୀୟ ପକ୍ଷ (ଟଙ୍କଧର ଗୋଷ୍ଠୀ)କୁ ପ୍ରଶାସନିକ ସ୍ତରରେ ଝଟ୍କା ଦେଇଛନ୍ତି।
ଏହି ସମଗ୍ର ରାଜନୈତିକ ଖେଳ ଭିତରେ ନିର୍ବାହୀ ଅଧିକାରୀ ମାନସ ମଲ୍ଲିକ ବଳି ପଡ଼ିଥିବା ବେଳେ, ଆଗାମୀ ଦିନରେ ନୂଆ ଅଧିକାରୀଙ୍କ ସମୟରେ ପୌର ପ୍ରଶାସନ କେଉଁ ଗୋଷ୍ଠୀର ଇସାରାରେ ଚାଲୁଛି ଏବଂ ଏହାର ଜବାବ ଟଙ୍କଧର ଗୋଷ୍ଠୀ କିଭଳି ଦେଉଛି, ତାହା ଦେଖିବାକୁ ବାକି ରହିଲା।
Report by: Surendra Barik
