ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ନିଟ୍ ସ୍କାମ୍ ଓ ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଛାତ୍ର କଂଗ୍ରେସର ବିଶାଲ ମଶାଲ୍ ରାଲି । ତେବେ ଛାତ୍ର କଂଗ୍ରେସ ପକ୍ଷରୁ ଏକ ଶୋଭାଯାତ୍ରା କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ବିଜେପି ରାଜ୍ୟ କାର୍ଯ୍ୟାଳୟ ଅଭିମୁଖେ ଯାଇଥିଲା। ବନଦୁର୍ଗା ମନ୍ଦିରଠାରେ ପୁଲିସ ସେମାନଙ୍କୁ ବ୍ୟାରିକେଡ୍ କରି ଅଟକାଇଥିଲା। ଫଳରେ ପୁଲିସ ଓ ଛାତ୍ର କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଥିଲା।
ପରେ ସେଠାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶପୁତ୍ତଳିକା ଦାହ କରାଯାଇଥିଲା। ଏହି ଅବସରରେ ପ୍ରଦେଶ ଛାତ୍ର କଂଗ୍ରେସ ନେତା ବିଭୂତି ମହାପାତ୍ର କହିଛନ୍ତି ଯେ ଗତ ୫ରୁ ୭ ବର୍ଷ ଭିତରେ ୧ ଲକ୍ଷ ଚାକିରି ପାଇଁ ୪୧ଟି ଗୁରୁତ୍ୱପୂର୍ଣ୍ଣ ପରୀକ୍ଷାରେ ପ୍ରଶ୍ନପତ୍ର ପ୍ରଘଟ ହୋଇଛି।
ଯେଉଁଥିରେ ୧ କୋଟି ୪୦ଲକ୍ଷ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଛନ୍ତି। ନିଟ୍-ୟୁଜି ପରୀକ୍ଷାକୁ ଯେଉଁ ଖାମ୍ଖିଆଲି ଭାବରେ ପରିଚାଳନ କରାଯାଇଛି ତାହା ଏ ଦେଶର ଛାତ୍ର ସମାଜକୁ ବ୍ୟଥିତ କରିଛି। ଏଣୁ ଏନ୍ଟିଏକୁ ସ୍ୱତନ୍ତ୍ର ଭାବେ ଉଚ୍ଛେଦ କରାଯାଉ।ନିଟ୍-ୟୁଜି ପରୀକ୍ଷାରେ ଦୁର୍ନୀତି ଯୋଗୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ; ତାଙ୍କୁ ମଧ୍ୟ ତଦନ୍ତ ପରିସରକୁ ଅଣାଯାଉ। ଏହି ପରୀକ୍ଷା ବାତିଲ ପାଇଁ ଯେଉଁ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି ତାଙ୍କ ପରିବାରକୁ ଅନୂନ୍ୟ ୫ କୋଟି ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯାଉ ବୋଲି ଦାବି କରାଯାଇଛି।
