ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ସାରା ଦେଶରେ ଏବେ କର୍ଣ୍ଣାଟକ ରାଜନୀତି ଉପରେ ଚର୍ଚ୍ଚା ଜୋର୍ ଧରିଛି । ଏହା ମଧ୍ୟରେ ବର୍ଷ ଆଉ ୮ ଦିନ ମୁଖ୍ୟମନ୍ତ୍ରୀ ପଦରେ କାମ କରିବା ପରେ ଏବେ ଇସ୍ତଫା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ସିଦ୍ଦରମୈୟା। ଆଜି ସେ ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କ ସ୍ୱତନ୍ତ୍ର ସଚିବ ପ୍ରଭୁ ଶଙ୍କରଙ୍କୁ ନିଜ ଇସ୍ତଫାପତ୍ର ହସ୍ତାନ୍ତର କରିଛନ୍ତି। ପ୍ରଭୁ ଶଙ୍କର କହିଛନ୍ତି ଯେ “ମୁଁ ମୁଖ୍ୟମନ୍ତ୍ରୀ ପଦରୁ ସିଦ୍ଦରମୈୟାଙ୍କ ଇସ୍ତଫାପତ୍ର ଗ୍ରହଣ କରିଛି। କିନ୍ତୁ ରାଜ୍ୟପାଳ ଫେରିବା ପରେ ହିଁ ଏହାକୁ ଗ୍ରହଣ କରିପାରିବେ। ଖୁବଶୀଘ୍ର ସାମ୍ବାଦିକ ସମ୍ମିଳନୀ କରି ସିଦ୍ଦରମୈୟା ନିଜର ଆଗମୀ ଯୋଜନା ଓ ଇସ୍ତଫାର କାରଣ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇବେ। ସେହିପରି ସେ ଆଜି ସନ୍ଧ୍ୟାରେ ଦିଲ୍ଲୀ ଯିବାର ଅଛି। ଦିଲ୍ଲୀରେ ଯାଇ ସେ କଂଗ୍ରେସ ହାଇକମାଣ୍ଡ ସହ ବୈଠକ କରିବେ।
ଏଥିସହ ଆସନ୍ତାକାଲି ବେଙ୍ଗାଲୁରୁରେ ହେବାକୁ ଥିବା କଂଗ୍ରେସ ବିଧାୟକ ଦଳ ବୈଠକରେ ମଧ୍ୟ ଯୋଗ ଦେବେ ବୋଲି ଜଣାପଡ଼ିଛି। ଇସ୍ତଫା ଦେବା ପୂର୍ବରୁ ଆଜି ନିଜର କ୍ୟାବିନେଟ ସଦସ୍ୟଙ୍କ ସହ ବ୍ରେକଫାଷ୍ଟ ମିଟିଂ କରିଥିଲେ ସିଦ୍ଦରମୈୟା। ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ୁଥିବା କଥା ସମସ୍ତଙ୍କୁ କହିଥିଲେ। ଏଥିସହ ନିଜର ଡେପୁଟି ଡିକେ ଶିବ କୁମାରଙ୍କ ସହ ନାଁ ସେ ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରସ୍ତାବ ଦେଇଛନ୍ତି। ଏହାକୁ କ୍ୟାବିନେଟ ସଦସ୍ୟମାନେ ସମର୍ଥନ କରିଛନ୍ତି।
ଶିବ କୁମାର କର୍ଣ୍ଣାଟକାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବାରୁ ସେ ସିଦ୍ଦରମୈୟାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଛନ୍ତି। ସେହିପରି ତାଙ୍କୁ ଖୁସିରେ କୁଣ୍ଢାଇ ପକାଇଛନ୍ତି। ସିଦ୍ଦରମୈୟା ମଧ୍ୟ ଏହାକୁ ବେଶ ଆଦରର ସହ ଗ୍ରହଣ କରିଛନ୍ତି। ଏଥିସହ ସେ ନିଜର ଶାସନ ସମୟରେ ଯଦି କୌଣସି ମନ୍ତ୍ରୀଙ୍କୁ କିଛି କହିଛନ୍ତି, ତା’ହେଲେ ସେସବୁ ଭୁଲି ଯିବାକୁ ମଧ୍ୟ ସିଦ୍ଦରମୈୟା କହିଛନ୍ତି। ୨୦୧୩ରେ ସିଦ୍ଦରମୈୟା ପ୍ରଥମଥର କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ହୋଇଥିଲେ।
ତାଙ୍କ କାର୍ଯ୍ୟକାଳ ପୂରା ୫ ବର୍ଷ ଅର୍ଥାତ ୨୦୧୮ ଯାଏ ରହିଥିଲା। ୨୦୨୩ରେ କଂଗ୍ରେସ କର୍ଣ୍ଣାଟକାକୁ ଫେରିବା ପରେ ସିଦ୍ଦରମୈୟା ଓ ଶିବ କୁମାରଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଛକା ପଞ୍ଝା ଆରମ୍ଭ ହୋଇଥିଲା।ଶେଷରେ କଂଗ୍ରେସ ହାଇକମାଣ୍ଡଙ୍କ ନିର୍ଦ୍ଦେଶରେ ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ହୋଇଥିଲେ। ୨୦୨୩ ମସିହା ମେ’ ୨୦ରେ ସେ କର୍ଣ୍ଣାଟକାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ପ୍ରଥମ ଅଢ଼େଇ ବର୍ଷ ପାଇଁ ତାଙ୍କୁ ଏହି ପଦ ମିଳିଥିଲା। କିନ୍ତୁ ଅଢ଼େଇ ବର୍ଷ ପରେ ସେ ପଦ ଛାଡ଼ି ନଥିଲେ। ଏହାକୁ ନେଇ ଶିବ କୁମାରଙ୍କ କ୍ୟାମ୍ପରେ ଅସନ୍ତୋଷ ପ୍ରକାଶ ପାଇଥିଲେ। ହେଲେ ହାଇକମାଣ୍ଡଙ୍କ ହସ୍ତକ୍ଷେପ ପରେ ଏବ ସିଦ୍ଦରମୈୟା ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଛନ୍ତି।
