ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପରେ ରାହୁଲ ଓ ଖଡଗେଙ୍କୁ ଭେଟିଲେ ସିଦ୍ଦରମୈୟା । ଏହି ସାକ୍ଷାତ ସମୟରେ ସେ ପାର୍ଟି ହାଇକମାଣ୍ଡଙ୍କୁ ଏକ ଦାବିପତ୍ର ଦେଇଛନ୍ତି। ତାଙ୍କ ଦାବିର ତାଲିକା ବେଶ୍ ଲମ୍ବା ରହିଛି। ଡି.କେ. ଶିବକୁମାରଙ୍କ ନେତୃତ୍ୱରେ ଗଠନ ହେବାକୁ ଥିବା ସରକାରରେ ତାଙ୍କ ପୁଅ ଯତୀନ୍ଦ୍ର ସିଦ୍ଦରମୈୟାଙ୍କୁ ସାମିଲ କରିବା ସହିତ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦେବାକୁ ସେ ଦାବି କରିଛନ୍ତି।

ରାଜ୍ୟସଭା ଓ କର୍ଣ୍ଣାଟକା ବିଧାନ ପରିଷଦ ନିର୍ବାଚନ ପାଇଁ ସିଦ୍ଦରମୈୟା ତାଙ୍କ ପସନ୍ଦର ପ୍ରାର୍ଥୀଙ୍କ ତାଲିକା ଦଳର ହାଇକମାଣ୍ଡଙ୍କୁ ଦେଇଛନ୍ତି। ସେପଟେ ସିଦ୍ଦରମୈୟା ତାଙ୍କ ପୁଅଙ୍କୁ ଚିକିତ୍ସା ଶିକ୍ଷା ଏବଂ ପଛୁଆ ବର୍ଗ କଲ୍ୟାଣ, କିମ୍ବା ବିକଳ୍ପ ଭାବରେ ଶିଳ୍ପ କିମ୍ବା ଜଳ ସମ୍ପଦ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ଦେବାକୁ ଦାବି କରିଛନ୍ତି। ତାଙ୍କ ମନ୍ତ୍ରିମଣ୍ଡଳରେ ଗୁରୁତ୍ୱପୂର୍ଣ୍ଣ ଜଳ ସମ୍ପଦ ବିଭାଗଟି ଶିବକୁମାରଙ୍କ ପାଖରେ ଥିଲା। ସିଦ୍ଦରମୈୟା ନିଜକୁ ପଛୁଆ ବର୍ଗଙ୍କ ବଡ଼ ନେତା ଭାବେ ସବୁବେଳେ ଉପସ୍ଥାପିତ କରିଆସିଛନ୍ତି।