ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ):ଝିଅ ବାହାଘର ପୂର୍ବରୁ ଜ୍ୱାଇଁପୁଅର ‘ଟ୍ରାଫିକ୍‌ ଚାଲାଣ’ ଯାଞ୍ଚ କଲେ ପିତା । ତେବେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଜିଲାରେ ଏକ ଭିନ୍ନ ଧରଣର ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ୫୫ ବର୍ଷୀୟ ପିତା ନିଜ ଭାବୀଜ୍ୱାଇଁଙ୍କ ଦାୟିତ୍ୱବୋଧ ଏବଂ ଗାଡ଼ି ଚଳାଇବା ଶୈଳୀ ପରଖିବା ପାଇଁ ପୋଲିସ ନିକଟରେ ପହଞ୍ଚିଛନ୍ତି। ସେ ସେହି ଯୁବକଙ୍କ ନାଁରେ କୌଣସି ଟ୍ରାଫିକ ଚାଲାଣ ବାକି ଅଛି କି ନାହିଁ ତାହା ଯାଞ୍ଚ କରିବାକୁ ଅନୁରୋଧ କରିଥିଲେ ବୋଲି ଗୁରୁବାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ଏହି ପଦକ୍ଷେପକୁ ଅତ୍ୟନ୍ତ ବିରଳ ଓ ଚିନ୍ତାଶୀଳ ବୋଲି ବର୍ଣ୍ଣନା କରି ପୋଲିସ ଅଧିକାରୀ ଜଣକ କହିଛନ୍ତି ଯେ, ସେହି ବ୍ୟକ୍ତି ଜଣକ କେବଳ ପାରମ୍ପରିକ ଅନୁସନ୍ଧାନ ଉପରେ ନିର୍ଭର ନ କରି, ରାସ୍ତାରେ ଯୁବକଙ୍କ ଆଚରଣ ମାଧ୍ୟମରେ ତାଙ୍କର ପ୍ରକୃତ ଚରିତ୍ର ଆକଳନ କରିବାକୁ ଚାହୁଁଥିଲେ। ଭାବୀଜ୍ୱାଇଁ କେବେ ବେପରୁଆ ଗାଡ଼ି ଚାଳନା, ମଦ୍ୟପାନ କରି ଗାଡ଼ି ଚଳାଇବା କିମ୍ବା ବାରମ୍ବାର ଟ୍ରାଫିକ ନିୟମ ଉଲ୍ଲଂଘନ ଭଳି ମାମଲାରେ ସାମିଲ ଅଛନ୍ତି କି ନାହିଁ, ସେ ସେହି ବିଷୟରେ ଜାଣିବାକୁ ଚାହୁଁଥିଲେ।

ଆମେ ତାଙ୍କର ଏହି ଦାୟିତ୍ୱବୋଧକୁ ପ୍ରଶଂସା କରିଛୁ ବୋଲି ପୋଲିସ ଅଧିକାରୀ ଜଣକ ପିଟିଆଇକୁ କହିଛନ୍ତି। ପୋଲିସ ସୂଚନା ଅନୁଯାୟୀ, ଏହି ବ୍ୟକ୍ତି ଜଣକ ଅନେକ ବର୍ଷ ପୂର୍ବରୁ ନିଜ ପତ୍ନୀଙ୍କୁ ହରାଇଥିଲେ ଏବଂ ବହୁ କଷ୍ଟ ସତ୍ତ୍ୱେ ଏକାକୀ ନିଜ ଝିଅକୁ ପାଳିପୋଷି ବଡ଼ କରିବା ସହ ତାଙ୍କୁ ଜଣେ ଇଞ୍ଜିନିୟର ଭାବେ ଗଢ଼ି ତୋଳିଛନ୍ତି। ନିକଟରେ ଝିଅ ପାଇଁ ଏକ ଭଲ ପ୍ରସ୍ତାବ ଆସିବା ପରେ, ସେ ମଙ୍ଗଳବାର ରାୟୁଡୁପାଲେମ୍‌ ଟ୍ରାଫିକ ପୋଲିସ ଷ୍ଟେଶନରେ ପହଞ୍ଚିଥିଲେ। ସେଠାରେ ସେ ଭାବୀଜ୍ୱାଇଁଙ୍କର କାର୍‌ ଏବଂ ଦୁଇଚକିଆ ଯାନର ପଞ୍ଜୀକରଣ ନମ୍ବର ଦେଇ ଯାଞ୍ଚ କରିବାକୁ କହିଥିଲେ।

ତାଙ୍କ ମତରେ ଜଣେ ବ୍ୟକ୍ତିଙ୍କ ଗାଡ଼ି ଚଳାଇବା ଶୈଳୀରୁ ହିଁ ତାଙ୍କ ଶୃଙ୍ଖଳା, ଧୈର୍ଯ୍ୟ ଏବଂ ସାମାଜିକ ଦାୟିତ୍ୱବୋଧ ସ୍ପଷ୍ଟ ଜଣାପଡ଼ିଥାଏ। ତେଣୁ ବିବାହ ଚୂଡ଼ାନ୍ତ କରିବା ପୂର୍ବରୁ ସେ ଚାଲାଣର ଇତିହାସ ଜାଣିବାକୁ ଚାହିଁଥିଲେ। ପୋଲିସ ପକ୍ଷରୁ ସମସ୍ତ ଯାଞ୍ଚ କରାଯିବା ପରେ ଜଣାପଡ଼ିଥିଲା ଯେ, ଉକ୍ତ ଗାଡ଼ିଗୁଡ଼ିକ ନାମରେ କୌଣସି ଟ୍ରାଫିକ ଚାଲାଣ ବାକି ନାହିଁ କିମ୍ବା କୌଣସି ଗମ୍ଭୀର ନିୟମ ଉଲ୍ଲଂଘନର ସୂଚନା ନାହିଁ।