ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ପଶ୍ଚିମବଙ୍ଗରେ ସରକାର ବଦଳିବା ପରେ ବିରୋଧୀ ଦଳ ଅର୍ଥାତ୍ ଟିଏମସି ଦଳର ଚିନ୍ତା ବଢ଼ିଛି । ଏହା ମଧ୍ୟରେ ଟିଏମସି ନେତା ଝୋଟ କ୍ଷେତରେ ବସ୍ତା ବସ୍ତା ଟଙ୍କା ପୋତି ଥିବାର କଥା ସାମ୍ନାକୁ ଆସୁଛି । ଏହା ଟଙ୍କାର ପରିମାଣ ୨.୨୪ କୋଟିରୁ ଅଧିକ ବୋଲି ସୂଚନା ମିଳିଛି । ତେବେ ଚଳିତ ସପ୍ତାହ ଆରମ୍ଭରେ ପଶ୍ଚିମବଙ୍ଗର ବାଦୁରିଆର ଲୋକମାନଙ୍କ ନଜରକୁ ଏମିତି ଗୋଟିଏ ଦୃଶ୍ୟ ସାମ୍ନାକୁ ଆସିଥିଲା, ଯାହାକୁ ଦେଖି ସେମାନେ ସନ୍ଦେହ କରିଥିଲେ।

କାରଣ ଅନ୍ଧାର ରାତିରେ ବେଙ୍ଗଲରେ ପୂର୍ବରୁ ଶାସନ କରୁଥିବା ଟିଏମସିର ଗୋଟିଏ ଅଫିସରୁ କିଛି ଭ୍ୟାନ ବାହାରୁଛି। ସେଗୁଡ଼ିକରେ ଅନେକ ଜିନିଷ ସବୁ ଲଦା ଯାଇଛି। ବିଳମ୍ବିତ ରାତିରେ ଜିନିଷ ବୁହା ହେଉଥିବା ଲୋକମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ୍ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିଥିଲା। ଟିଏମସି ଅଫିସ ଓ ସ୍ଥାନୀୟ ଅଞ୍ଚଳରେ ଥିବା ଫାର୍ମ ହାଉସରେ ରେଡ କରିଥିଲା। ଉକ୍ତ ଫାର୍ମ ହାଉସଟି ହେଉଛି ବାଦୁରିଆର ପୌର ପାଳିକା ଅଧ୍ୟକ୍ଷ ତଥା ଟିଏମସିର ନେତା ଦୀପଙ୍କର ଭଟ୍ଟାଚାର୍ଯ୍ୟଙ୍କର। ଏହି ରେଡ ପୁଲିସକୁ ଏମିତି ଏକ ଝୋଟ କ୍ଷେତକୁ ନେଇଯାଇଥିଲା ଯେଉଁଠାରେ ପୋତା ଯାଇଥିବା କୋଟି କୋଟି ଟଙ୍କା।

ଜବତ ହୋଇଥିବା ଟଙ୍କାର ପରିମାଣ ବର୍ତ୍ତମାନ ସୁଦ୍ଧା ୨.୨୪ କୋଟି ଅତିକ୍ରମ କରି ଯାଇଛି। ଏବେ ବି ଜବତ ହୋଇଥିବା ଟଙ୍କାର ଗଣତି ଚାଲିଛି। ସେପଟେ ପୁରା ଘଟଣା ମେ’ ୨୪ ତାରିଖ ରାତିରେ ଆରମ୍ଭ ହୋଇଥିଲା। ସ୍ଥାନୀୟ ଲୋକମାନେ ବିଳମ୍ବିତ ରାତିରେ ଅସ୍ୱାଭାବିକ ଗତିବିଧି ଠାବ କରିଥିଲେ। ଏହାପରେ ପୁଲିସ୍ ଟିଏମସି ପାର୍ଟି ଅଫିସ ଓ ଫାର୍ମ ହାଉସରେ ରେଡ କରିଥିଲା। ପ୍ରଥମେ ସେଠାରୁ ସରକାରଙ୍କ ପକ୍ଷରୁ ରିଲିଫ ଆକାରରେ ଦିଆଯିବାକୁ ଥିବା ୪ ହଜାର ପାଲ ମିଳିଥିଲା।ଫାର୍ମ ହାଉସରୁ ଜବତ ହୋଇଥିଲା ନଗଦ ୮୦ ଲକ୍ଷ ଟଙ୍କା।

ସେହିପରି ଆଂଶିକ ଜଳି ସାରିଥିବା ଦସ୍ତାବିଜକୁ ମଧ୍ୟ ଟିଏମସି ଅଫିସ ବାହାରୁ ଠାବ କରାଯାଇଥିଲା। ତେବେ ସେତେବେଳକୁ ଭଟ୍ଟାଚାର୍ଯ୍ୟ ଓ ତାଙ୍କ ସହଯୋଗୀମାନେ ସେଠାରୁ ଖସି ଚାଲି ଯାଇଥିଲା।ବେଙ୍ଗଲର କ୍ଷମତାସୀନ ବିଜେପି ସୋମବାର ଭଟ୍ଟାଚାର୍ଯ୍ୟଙ୍କ ବିରୋଧରେ ଅଭିଯୋଗ ଦାଖଲ କରିବାରୁ ବିସ୍ତୃତ ତଦନ୍ତ ଆରମ୍ଭ ହୋଇଥିଲା। ଦିନ ତମାମ ଭଟ୍ଟାଚାର୍ଯ୍ୟ ସମସ୍ତଙ୍କୁ ଚକମା ଦେଇ ଚାଲିଥିଲେ। ହେଲେ ମଙ୍ଗଳବାର ତାଙ୍କୁ ଗୋଟିଏ ହୋଟେଲରୁ ପୁଲିସ ଗିରଫ କରିଥିଲା।

ଗିରଫ ପରେ ପୁଲିସ୍ ତାଙ୍କୁ କୋର୍ଟରେ ହାଜର କରି ରିମାଣ୍ଡରେ ନେଇଥିଲା। ଜେରା ବେଳେ ଭଟ୍ଟାଚାର୍ଯ୍ୟ ତାଙ୍କ ଘର ପଛ ପଟେ ଥିବା ଝୋଟ କ୍ଷେତରେ ପୁଳାପୁଳା ଟଙ୍କା ବସ୍ତାରେ ଭର୍ତ୍ତି ହୋଇ ପୋତା ହୋଇଥିବା ସୂଚନା ଦେଇଥିଲେ। ଖବର ମିଳିବା ମାତ୍ରେ ପୁଲିସ ଟିମ, ସନ୍ଧାନୀ କୁକୁର ଓ ଡ୍ରୋଡ଼ କ୍ୟାମେରା ଦ୍ୱାରା ଯାଞ୍ଚ ହୋଇଥିଲା। ବେଶ କିଛି ଘଣ୍ଟାର ଖୋଳାଖୋଳି ପରେ ଯାହା ମିଳିଥିଲା, ତା’କୁ ଦେଖି ସମସ୍ତଙ୍କ ଆଖି ଲାଖି ଯାଇଥିଲା। କାରଣ ଭିଡ଼ା ଭିଡ଼ା ୫୦୦ ଟଙ୍କିଆ ନୋଟ ଓ ସୁନା ଅଳଙ୍କାର ଟ୍ରଲି ବ୍ୟାଗ ଓ ଜରି ଅଖାରେ ଭର୍ତ୍ତି ହୋଇ ମାଟି ତଳେ ପୋତା ହୋଇଥିଲା। ସେହି ଟଙ୍କା ଭର୍ତ୍ତି ବସ୍ତା ଓ ଟ୍ରଲି ବ୍ୟାଗକୁ ପୁଲିସ କାନ୍ଧରେ ରଖି ନେଉଥିବାର ଭିଡିଓ ସାମ୍ନାକୁ ଆସିଛି। ଏବେ ବି ଝୋଟ କ୍ଷେତରେ ଖୋଦେଇ କାମ ଜାରି ରହିଛି।

ଏହାକୁ ଦେଖିବାକୁ ପ୍ରବଳ ଭିଡ଼ ମଧ୍ୟ ହୋଇଛି। ଏଯାଏ କ୍ଷେତରୁ ମିଳିଥିବା ଟଙ୍କାକୁ ଗଣିବା ପାଇଁ ମେସିନର ବ୍ୟବହାର କରାଯାଉଛି। ବୁଧବାର ରାତି ତମାମ ଗଣତି ପରେ ୨.୨୪ କୋଟିକୁ ଜବତ କରାଯାଇଛି। ଏବେ ବି ଆଉ କିଛି ବସ୍ତା ବାକି ଥିବାରୁ ଜବତ ପରିମାଣ ୫ କୋଟିରେ ପହଞ୍ଚି ପାରେ। ଭଟ୍ଟାଚାର୍ଯ୍ୟଙ୍କ ବାସଭବନ ନିକଟରେ ଥିବା ଗୋଟିଏ କମ୍ପ୍ୟୁଟର ଟ୍ରେନିଂ ସେଣ୍ଟରରୁ ମଧ୍ୟ କିଛି ବସ୍ତା ଟଙ୍କା ମିଳିଛି। ଏହାର ମାଲିକାନା ମଧ୍ୟ ଭଟ୍ଟାଚାର୍ଯ୍ୟଙ୍କ ପାଖରେ ରହିଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର୍ ଧରିଛି ।