ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଗଞ୍ଜାମ ଏସପି ଭାବେ ଦାୟିତ୍ୱ ଗ୍ରହଣ କଲେ ହରିଶ ବିସି । ପୂର୍ବରୁ କନ୍ଧମାଳ ଏସପି ଭାବେ ଦାୟିତ୍ୱ ତୁଲାଇ ଆସିଥିଲେ । ୨୦୨୦ ବ୍ୟାଚର ଏହି ଆଇପିଏସ ଅଧିକାରୀ ପ୍ରଥମେ ରାୟଗଡାରେ କାର୍ଯ୍ୟ ଆରମ୍ଭ କରିଥିଲେ। ଅପରାଧ ନିୟନ୍ତ୍ରଣ, ଶାନ୍ତି ଶୃଙ୍ଖଳା ବଜାୟ ରଖିବା, ମାଫିଆମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଓ ୨୪ ଘଣ୍ଟା ଲୋକଙ୍କୁ ସେବା ଯୋଗାଇଦେବା ଉପରେ ଗୁରୁତ୍ୱ ଦେବେ ବୋଲି ଏସପି ଶ୍ରୀ ବିସି କହିଛନ୍ତି ।

ଗଞ୍ଜାମ ପୁଲିସ ଜିଲ୍ଲା ଏକ ବଡ଼ ଜିଲ୍ଲା ହୋଇଥିବାରୁ ସମସ୍ତ ଥାନାଧିକାରୀ, ଏସଡିପିଓ, ଅତିରିକ୍ତ ଏସପି ଏବଂ ଡିଏସପିମାନଙ୍କୁ ନେଇ ଜିଲ୍ଲାର ଆଇନଶୃଙ୍ଖଳା ପରିସ୍ଥିତି ଦିଗରେ ଆଲୋଚନା କରି ଜିଲ୍ଲା କିପରି ଭାବେ ଅପରାଧମୁକ୍ତ ହୋଇପାରିବ ସେନେଇ କାର୍ଯ୍ୟ କରିବେ ବୋଲି ଏସପି ଶ୍ରୀ ବିସି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ସେପଟେ କନ୍ଧମାଳ ଜିଲ୍ଲା ଅପେକ୍ଷା ଗଞ୍ଜାମ ପୁଲିସ ଜିଲ୍ଲାରେ ଅଧିକ ଅପରାଧ ବୃଦ୍ଧି ପାଉଥିବା ବେଳେ ଏହି ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ ଏକ ଚ୍ୟାଲେଞ୍ଜ ରହିଥିଲେ ମଧ୍ୟ ତାକୁ ମୁକାବିଲା କରିବା ପାଇଁ ସେ ସମ୍ପୁର୍ଣ୍ଣ ପ୍ରସ୍ତୁତ ରହିଥିବା ମଧ୍ୟ କହିଛନ୍ତି । ପୁଲିସ ଜିଲ୍ଲାର ବିଭିନ୍ନ ଥାନା ଅଂଚଳରେ କଡାକଡି ପେଟ୍ରୋଲିଂ ଜାରି ରହିବ । ସେହିଭଳି ହଜିଯାଇଥିବା ମୋବାଇଲ ଉଦ୍ଧାର କାର୍ଯ୍ୟ ଜାରି ରହିବ । ଲୋକଙ୍କ ବିଶ୍ୱାସ ଭାଜନ ହୋଇ ରହିବା ଲାଗି ଲୋକଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ଦିଗରେ ମଧ୍ୟ ଗୁରୁତ୍ୱ ଦିଆଯିବ ବୋଲି ଏସପି କହିଛନ୍ତି ।