ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ):ଚଳିତ ବର୍ଷ ମେ ମାସରେ ଓଡ଼ିଶାରେ ଜିଏସ୍‌ଟି ସଂଗ୍ରହ ୫% କମିଲା । ଏହି ମାସରେ ରାଜ୍ୟରେ ୪୦୫୦ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଥିଲା। ଏହା ୨୦୨୫ ମେରେ ହୋଇଥିବା ୪୨୬୪ କୋଟି ଟଙ୍କା ତୁଳନାରେ କମ୍‌। ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶକୁ ବାଦ ଦେଲେ ଅନ୍ୟ ସବୁ ରାଜ୍ୟରେ ଜିଏସ୍‌ଟି ଆଦାୟ ହ୍ରାସ ପାଇଥିବା କେନ୍ଦ୍ର ସରକାରଙ୍କ ତରଫରୁ ଜାରି କରାଯାଇଥିବା ତଥ୍ୟରୁ ଜଣାପଡ଼ିଛି।ତେବେ ଦେଶରେ ମେ ମାସରେ ଜିଏସ୍‌ଟି ସଂଗ୍ରହ ୩.୧୨ ପ୍ରତିଶତ ବୃଦ୍ଧି ପାଇ ୧.୯୪ଲକ୍ଷ କୋଟି ଟଙ୍କା ହୋଇଛି। ଆମଦାନିରୁ ଟିକସ ସଂଗ୍ରହ ବଢ଼ିଥିବାରୁ ଏହି ମାସରେ ଏ‌ତେ ଅଧିକ ପରିମାଣର ଜିଏସ୍‌ଟି ସଂଗ୍ରହ କରାଯାଇଛି। ୨୦୨୫ର ମେ ମାସରେ ୧.୮୮ ଲକ୍ଷ କୋଟି ଟଙ୍କାର ଜିଏସ୍‌ଟି ସଂଗ୍ରହ କରାଯାଇଥିଲା।

ଚଳିତ ବର୍ଷର ମେ ମାସରେ ୪୭,୩୯୭ କୋଟି ଟଙ୍କାର କେନ୍ଦ୍ରୀୟ ଜିଏସ୍‌ଟି, ୪୫,୧୪୩ କୋଟି ଟଙ୍କାର ରାଜ୍ୟ ଜିଏସ୍‌ଟି ଓ ୫୧,୯୯୦ କୋଟି ଟଙ୍କାର ସମନ୍ବିତ ଜିଏସ୍‌ଟି ସଂଗ୍ରହ କରାଯାଇଛି।ଆଲୋଚ୍ୟ ମାସରେ ଟିକସଯୁକ୍ତ ସାମଗ୍ରୀ ଯୋଗାଣରେ ୨୬.୯ ପ୍ରତିଶତ ଓ ସେବାରେ ୨୨.୨ ପ୍ରତିଶତ ବୃଦ୍ଧି ଘଟିଛି। ଏହା ଦେଶରେ ଚାହିଦା ଉଲ୍ଲେଖନୀୟ ରହିଥିବାରୁ ଦର୍ଶାଉଛି। ସେହିପରି ଆଇଜିଏସ୍‌ଟିରେ ୧୯.୧ ପ୍ରତିଶତ ବୃଦ୍ଧି ଶିଳ୍ପ କାର୍ଯ୍ୟକଳାପ ତ୍ବରାନ୍ବିତ ହେବାକୁ ଜଣାଉଛି।