ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଜୁନ ୬ ତାରିଖରେ ଭାରତ ଫେରିବେ କକ୍ରୋଚ ଜନତା ପାର୍ଟି ପ୍ରତିଷ୍ଠାତା ଅଭିଜିତ ଦୀପକେ । ତେବେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଜନ୍ତର ମନ୍ତରରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଆରମ୍ଭ କରିବେ। ଦିଲ୍ଲୀ ବିମାନ ବନ୍ଦରରେ ତାଙ୍କ ସହ ଭେଟ ହେବାକୁ ସେ ସମର୍ଥକଙ୍କ ଅପିଲ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ଏବଂ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରି ସିଜେପି ପ୍ରତିଷ୍ଠାତା ଅଭିଜିତ ଦୀପକେ ସମର୍ଥକ ଏବଂ ଛାତ୍ରଛାତ୍ରୀଙ୍କୁ ଦିଲ୍ଲୀରେ ତାଙ୍କ ସହିତ ଯୋଗ ଦେବାକୁ ଆହ୍ୱାନ କରିଛନ୍ତି। ଦୀପକେ କହିଛନ୍ତି, ଭାରତର ସମ୍ବିଧାନର ରାସ୍ତା ଅନୁସରଣ କରି ଆମେ ସମସ୍ତେ ଏକତ୍ରିତ ହେବାର ସମୟ ଆସିଛି।
ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ଶାନ୍ତିପୂର୍ଣ୍ଣ ଭାବେ ଆମ ସ୍ୱର ଉଠାଇବା ଉଚିତ୍। ଯଦି ଆମେ ଏକତ୍ରିତ ହୋଇ ସ୍ୱର ଉଠାଇବୁ ତେବେ ସେମାନେ ନିଶ୍ଚୟ ଶୁଣିବେ ବୋଲି କହିଛନ୍ତି। ଦୀପକେ ଦେଶର ପରୀକ୍ଷା ବ୍ୟବସ୍ଥାର ବାରମ୍ବାର ବିଫଳତାକୁ ଉଲ୍ଲେଖ କରି, NEET, CBSE, CUET ଏବଂ SSCGD ପରୀକ୍ଷା ବିବାଦର ଉଦାହରଣ ଦେଇଛନ୍ତି। ଆଜି NEETର ୨୨ ଲକ୍ଷ ଛାତ୍ର, CBSEର ୧୭ ଲକ୍ଷ, CUETର ୧୬ ଲକ୍ଷ ଏବଂ SSCGDର ୪୦ ଲକ୍ଷ- ମୋଟ୍ ଏକ କୋଟିରୁ ଅଧିକ ଛାତ୍ରଛାତ୍ରୀଙ୍କ ଜୀବନ ସହିତ ଖେଳା ହୋଇଛି।
ଛାତ୍ରମାନେ ଉଦ୍ବିଗ୍ନ ଏବଂ ଭବିଷ୍ୟତ ନେଇ ଚିନ୍ତିତ ଅଛନ୍ତି। କେହି ନା କେହି ଏହାର ଦାୟିତ୍ୱ ନେବା ଉଚିତ୍। ଏତେ ବଡ଼ ଭୁଲ୍ ପରେ ମଧ୍ୟ ଯଦି ଶିକ୍ଷାମନ୍ତ୍ରୀ ଇସ୍ତଫା ଦେବେ ନାହିଁ, ତେବେ ଦେଶରେ କୌଣସି ଦାୟୀତ୍ବ ନାହିଁ ବୋଲି ପ୍ରମାଣିତ । ସେ କହିଛନ୍ତି, ଏହି ଆନ୍ଦୋଳନ ସମ୍ପୂର୍ଣ୍ଣ ଅହିଂସାତ୍ମକ ରହିବ ଏବଂ ଗଣତାନ୍ତ୍ରିକ ଉପାୟରେ ସମସ୍ୟା ଉଠାଯିବ। ତେବେ ସେ ଫେରିବା ପରେ ଗିରଫ ହେବାର ଆଶଙ୍କା ରହିଛି। ସେଥିଯୋଗୁ ତାଙ୍କ ପରିବାର ଚିନ୍ତିତ ଥିବା ସତ୍ତ୍ୱେ ସେ ଫେରିବାକୁ ଦୃଢ଼ ସଙ୍କଳ୍ପ କରିଥିବା କହିଛନ୍ତି।
