ବେଜିଂ(ସତ୍ୟପାଠବ୍ୟୁରୋ): ଚୀନ୍ର ଏକ ବନ୍ଦରରେ ଏକ ମାଲବାହୀ ଜାହାଜରେ ନିଆଁ ଲାଗିବା ଯୋଗୁ ୨୦ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୫ ଜଣ ନିଖୋଜ ଅଛନ୍ତି। ଜାହାଜଟି ଉତ୍ତର-ପୂର୍ବ ଚୀନ୍ ଉପକୂଳରେ ଥିବା ଏକ ପ୍ରମୁଖ ଜାହାଜ ଚଳାଚଳ କେନ୍ଦ୍ର କ୍ୱିଂଡାଓ ବନ୍ଦରରେ ବେହାଇ ଜାହାଜ ନିର୍ମାଣ କମ୍ପାନିରେ ମରାମତି ପାଇଁ ଡକିଂ କରାଯାଇଥିଲା। ଟ୍ରାକିଂ ୱେବସାଇଟ୍ ଫାଇଣ୍ଡର ଅନୁଯାୟୀ, ସିନହୁଆ ସମାଚାର ଏଜେନ୍ସି ଦ୍ୱାରା ପ୍ରକାଶିତ ଏକ ଫଟୋରେ ଜାହାଜଟି ‘ଓସେନ୍ ମେଲୋଡି’ ବୋଲି ଚିହ୍ନଟ କରାଯାଇଛି। ଲାଇବେରିଆ ପତାକା ବହନ କରୁଥିବା ଜାହାଜରେ ୪୨ ଜଣ ଲୋକ ଥିବାବେଳେ ୧୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ୫ ଜଣ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବାବେଳେ ସେମାନଙ୍କ ଅବସ୍ଥା ସ୍ଥିର ରହିଛି। ଆଜି ସକାଳ ୧୧ଟାରେ ଅଗ୍ନିକାଣ୍ଡ ଘଟିଥିବାବେଳେ ଅପରାହ୍ଣ ୨ଟା ୩୦ ସୁଦ୍ଧା ନିଆଁକୁ ଆୟତ୍ତକୁ ଅଣାଯାଇଥିଲା। ଜାହାଜରେ ନିଖୋଜ ଲୋକଙ୍କୁ ତୁରନ୍ତ ଉଦ୍ଧାର କରିବା ପାଇଁ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ନିର୍ଦ୍ଦେଶ ଜାରି କରିଛନ୍ତି। ଚୀନ୍ ପ୍ରଧାନମନ୍ତ୍ରୀ ଲି କ୍ୱିଆଙ୍ଗ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାକୁ କହିଛନ୍ତି।
