ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ):ବାଲିଅନ୍ତା ସୌମ୍ୟ ହତ୍ୟା ମାମଲାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଥମିବାରେ ନାମ ନେଉନୀ । ଏହା ମଧ୍ୟରେ IPS ଦୟାଲ ଗଙ୍ଗଓ୍ବାରଙ୍କୁ ପଚରାଉଚରା କରୁଛି NHRC ଟିମ୍ । ଏଥି ସହ ADGଙ୍କ ଅଧିନରେ କାର୍ଯ୍ୟ କରୁଥିବା ଜଣେ DSPଙ୍କ ସମେତ ୭ଜଣଙ୍କୁ ପଚରା ଉଚରା କରାଯାଇଛି । ଏହି ୭ଜଣଙ୍କ ଭିତରେ ADGଙ୍କ ଘରେ ନିୟୋଜିତ କନଷ୍ଟେବଲ, ୨ଜଣ PSO, ଡ୍ରାଇଭର ଅଛନ୍ତି । ସେପଟେ ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟା ମାମଲାରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି କ୍ରାଇମ୍ ବ୍ରାଞ୍ଚ। ମୋଟ ଗିରଫ ସଂଖ୍ୟା ୧୮ ପହଞ୍ଚିଛି । ଗିରଫ ଅଭିଯୁକ୍ତ ପ୍ରଦୀପ ମଙ୍ଗରାଜ ଓରଫ ଦିପୁ । ଢେଙ୍କାନାଳ ଜିଲ୍ଲାରୁ ଦୀପୁକୁ ଗିରଫ କରିଛି କ୍ରାଇମ୍ ବ୍ରାଞ୍ଚ। ପ୍ରଦୀପ ସୌମ୍ୟ ରଞ୍ଜନ ସ୍ୱାଇଁ ହତ୍ୟାକାଣ୍ଡ ଘଟଣାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ।

ପ୍ରଦୀପ ର ଘର ବାଲିଅନ୍ତା ବେଣୁପୁର ଅଞ୍ଚଳରେ ହୋଇଥିବା ବେଳେ ହତ୍ୟାକାଣ୍ଡ ଘଟଣା ଦିନଠାରୁ ସେ ଫେରାର ଥିଲା । ଆଜି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯିବ । ସେପଟେ ସୌମ୍ୟ ହତ୍ୟା ମାମଲାରେ ଜାତୀୟ ମାନବାଧିକାର ଆୟୋଗ – NHRC ର ତଦନ୍ତକାରୀ ଟିମ୍ ଜୋରଦାର୍ ତଦନ୍ତ କରୁଛି। ଓଡ଼ିଶା କ୍ରାଇମ୍ ବ୍ରାଞ୍ଚର ତଦନ୍ତକାରୀ ଅଧିକାରୀଙ୍କଠାରୁ ମାମଲା ସମ୍ପର୍କିତ ସମସ୍ତ ତଥ୍ୟ ନେଇଛନ୍ତି। ସୌମ୍ୟଙ୍କ ପରିବାରକୁ ଭେଟିଛନ୍ତି NHRC ତଦନ୍ତକାରୀ ଟିମ୍। ତତ୍କାଳୀନ ବାଲିଅନ୍ତା ଥାନା ଆଇଆଇସି ଅନିଲ ପରିଡ଼ାଙ୍କୁ ପଚରାଉଚରା କରାଯାଇଛି । ଆଗକୁ ପୋଲିସ କମିଶନର, ଭୁବନେଶ୍ୱର ୟୁପିଡି ଡିସିପି, ଅପରାଧସ୍ଥଳରେ ଉପସ୍ଥିତ ଥିବା ପୋଲିସ ଅଧିକାରୀଙ୍କୁ ପଚରାଉଚରା ହୋଇପାରେ ବୋଲି ସୂଚନା ମିଳିଛି ।