ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ):ପଶ୍ଚିମବଙ୍ଗରେ ହୋଇପାରେ ‘ମହାରାଷ୍ଟ୍ର ମଡେଲ’। ମମତାଙ୍କ ବିନା ନୂଆ ଟିଏମସି ଗଠନ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ମମତା ବାନାର୍ଜୀ ଏବଂ ଅଭିଷେକ ବାନାର୍ଜୀଙ୍କ ବିନା ଦଳର ଏକ ଅଲଗା ଗୋଷ୍ଠୀ ନୂଆ ଟିଏମସି ଗଠନ କରିବାକୁ ଯାଉଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।
ସେପଟେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦ୍ୱାରା ତାଙ୍କ କାଳୀଘାଟ ବାସଭବନରେ ଡକାଯାଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଦଳର ୮୦ ଜଣ ବିଧାୟକଙ୍କ ମଧ୍ୟରୁ ପ୍ରାୟ ୬୦ ଜଣ ଅନୁପସ୍ଥିତ ଥିଲେ। ଅନ୍ୟପଟେ ଦଳର ଶୀର୍ଷ ନେତୃତ୍ୱଙ୍କ ଅଗୋଚରରେ କିଛି ବିଧାୟକ କୋଲକାତାର ଏକ ହୋଟେଲ୍ ଏବଂ ଉତ୍ତର ୨୪ ପ୍ରଗଣାର ଜଣେ ନେତାଙ୍କ ଘରେ ଗୁପ୍ତ ବୈଠକ କରୁଥିବା ଖବର ସାମ୍ନାକୁ ଆସିଛି। ସିଗ୍ନେଚର୍ ବିବାଦକୁ ନେଇ ଦଳ ବିରୋଧରେ ସ୍ୱର ଉତ୍ତୋଳନ କରିଥିବା ଦୁଇ ବିଧାୟକ- ରୀତବ୍ରତ ବନ୍ଦ୍ୟୋପାଧ୍ୟାୟ ଏବଂ ସନ୍ଦୀପନ ସାହାଙ୍କୁ ଦଳରୁ ବହିଷ୍କାର କରାଯିବା ପରେ ଏହି ଆଭ୍ୟନ୍ତରୀଣ କନ୍ଦଳ ଆହୁରି ତୀବ୍ର ହୋଇଛି।
ବହିଷ୍କୃତ ବିଧାୟକମାନେ ଆଗକୁ ସରକାରଙ୍କ ବିରୋଧରେ ଅନେକ ଗୁମର ଖୋଲିବେ ବୋଲି ଚେତାବନୀ ଦେଇଛନ୍ତି। ଅନ୍ୟପଟେ ମମତା ବାନାର୍ଜୀ ଅଭିଯୋଗ କରିଛନ୍ତି ଯେ, ବିଜେପି (BJP) ପୋଲିସର ଭୟ ଦେଖାଇ ଏବଂ ଆର୍ଥିକ ପ୍ରଲୋଭନ ଦେଇ ଟିଏମସି ବିଧାୟକମାନଙ୍କୁ ନିଜ ଆଡ଼କୁ ଟାଣିବାକୁ ଉଦ୍ୟମ କରୁଛି। ପୋଲିସକୁ ଅପବ୍ୟବହାର କରାଯାଉଛି ଏବଂ ଦଳର କିଛି ନେତା ବିଶ୍ୱାସଘାତକ ଭଳି କାମ କରୁଛନ୍ତି ବୋଲି ସେ କହିଛନ୍ତି। ମହାରାଷ୍ଟ୍ରରେ ଏକନାଥ ସିନ୍ଦେ ଯେପରି ଉଦ୍ଧବ ଠାକରେଙ୍କଠାରୁ ଶିବସେନା ଛଡ଼ାଇ ନେଇଥିଲେ କିମ୍ବା ଶରଦ ପାୱାରଙ୍କ ଏନସିପି (NCP) ରେ ଯେମିତି ବିଭାଜନ ହୋଇଥିଲା, ବେଙ୍ଗଲରେ ମଧ୍ୟ ସମାନ ସ୍ଥିତି ଉପୁଜିପାରେ ବୋଲି ଆକଳନ କରାଯାଉଛି।
