ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବି ସରକାରୀ ବାସଭବନ ଛାଡ଼ିବେନି ସିଦ୍ଦରମେୟା । ୨୦୨୮ ଯାଏ ସେଠାରେ ରହିବେ ସିଦ୍ଦରମେୟା। ତେବେ ସିଦ୍ଧରମେୟା ସିନା ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ଦେଲେ ହେଲେ ତାଙ୍କୁ ମିଳିଥିବା ମୁଖ୍ୟମନ୍ତ୍ରୀ ବାସଭବନ କିନ୍ତୁ ସେ ଛାଡିବେ ନାହିଁ। ତାଙ୍କ କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ ୨୦୨୮ ଯାଏ ସେ ମୁଖ୍ୟମନ୍ତ୍ରୀ ବାସଭବନରେ ରହିବେ ବୋଲି ସୂଚନା ମିଳିଛି।

ସେପଟେ ଶିବକୁମାର ବର୍ତ୍ତମାନ ତାଙ୍କର ନିଜ ବାସଭବନରୁ ଅଫିସ କାର୍ଯ୍ୟ ପରିଚାଳନା କରିବେ। ତେବେ ପରବର୍ତ୍ତି ସମୟରେ ସେ ଅନ୍ୟ ଏକ ସରକାରୀ ଅଫିସକୁ ସ୍ଥାନାନ୍ତର ହେବେ। ଏନେଇ ଦୁଇ ନେତାଙ୍କ ମଧ୍ୟରେ ସହମତି ହୋଇଛି। କଂଗ୍ରେସ ନେତୃତ୍ୱ ମଧ୍ୟରେ ହୋଇଥିବା ଏଭଳି ବୁଝାମଣା କର୍ଣ୍ଣାଟକ ରାଜନୀତି ପାଇଁ ଯଦିଓ ନୂଆ ନୁହେଁ, ତେବେ ଆଶ୍ଚର୍ଯ୍ୟଜନକ ନିଶ୍ଚୟ।ଏହା ପୂର୍ବରୁ ବିଜେପି ଶାସନ ସମୟରେ ମଧ୍ୟ ଠିକ ସମାନ ସ୍ଥିତି ଦେଖା ଦେଇଥିଲା।

ଲିଙ୍ଗାୟତ ସମାଜର ପ୍ରତିଷ୍ଠିତ ଚେହେରା ବିଏସ ୟେଦୁରାପ୍ପା ୨୦୨୧ରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତପା ଦେବା ପରେ ମଧ୍ୟ ସେ ଦୀର୍ଘଦିନ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବାସଭବନରେ ରହିଥିଲେ।ସେପଟେ ଡିକେ ଶିବକୁମାର ଆସନ୍ତାକାଲି କର୍ଣ୍ଣାଟକର ୨୫ ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଲୋକସଭା ଭବନରେ ଏହି ଶପଥଗ୍ରହଣ କାର୍ଯ୍ୟକ୍ରମ ଆଯୋଜିତ ହେବ। ଏହା ଖୁବ ନିରାଡ଼ମ୍ବର ହେବ ବୋଲି ପୂର୍ବରୁ ଶିବକୁମାର ଘୋଷଣା କରି ସାରିଥିଲେ। ବେଙ୍ଗାଲୁରୁରେ ଅଯଥା ଟ୍ରାଫିକ ସମସ୍ୟା ସୃଷ୍ଚି ନ କରିବାକୁ ସେ ନିରାଡ଼ମ୍ବର ଭାବେ ଶପଥ ନେବେ ବୋଲି ଶିବକୁମାର ପୂର୍ବରୁ ଘୋଷଣା କରିଥିଲେ।