ଭୁବନେଶ୍ବର(ସତ୍ୟପାଠ ବ୍ୟୁରୋ):ବରିଷ୍ଠ ଆଇଏଏସ୍‌ ପ୍ରଶାନ୍ତ ସୀତାରାମ ଲୋଖାଣ୍ଡେଙ୍କୁ CBSE ର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଲେ କେନ୍ଦ୍ର ସରକାର । ତେବେ କ୍ୟାବିନେଟ ନିଯୁକ୍ତି କମିଟି (ACC) ମଙ୍ଗଳବାର ଜାରି କରିଥିବା ଏକ ନିର୍ଦ୍ଦେଶନାମା ଅନୁଯାୟୀ, ବରିଷ୍ଠ ଆଇଏଏସ୍‌ (IAS) ଅଧିକାରୀ ପ୍ରଶାନ୍ତ ସୀତାରାମ ଲୋଖାଣ୍ଡେଙ୍କୁ CBSE ର ନୂଆ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି।

ଏହା ସହିତ ବରୁଣ ଭାରଦ୍ୱାଜଙ୍କୁ ବୋର୍ଡର ନୂତନ ସଚିବ ଭାବେ ନିଯୁକ୍ତ କରାଯାଇଛି। ପ୍ରଶାନ୍ତ ସୀତାରାମ ଲୋଖଣ୍ଡେ ହେଉଛନ୍ତି ୨୦୦୧ ବ୍ୟାଚ୍‌ର AGMUT କ୍ୟାଡରର ଜଣେ ବରିଷ୍ଠ ଆଇଏଏସ୍‌ ଅଧିକାରୀ। ଏହି ନୂଆ ଦାୟିତ୍ୱ ପୂର୍ବରୁ ସେ କେନ୍ଦ୍ର ଗୃହ ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟରତ ଥିଲେ। ନୂତନ ନିଯୁକ୍ତି ପରେ ସେ ପୂର୍ବତନ ଅଧ୍ୟକ୍ଷ ରାହୁଲ ସିଂହ (୧୯୯୬ ବ୍ୟାଚ, ବିହାର କ୍ୟାଡର)ଙ୍କ ସ୍ଥାନ ନେଇଛନ୍ତି। ରାହୁଲ ସିଂହଙ୍କୁ ଏବେ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି।

ସେପଟେଏହି ବଡ଼ ପ୍ରଶାସନିକ ବଦଳି ଏଭଳି ଏକ ସମୟରେ ହୋଇଛି, ଯେତେବେଳେ CBSE ସାରା ଦେଶରେ ବୋର୍ଡ ପରୀକ୍ଷା, ମୂଲ୍ୟାଙ୍କନ ବ୍ୟବସ୍ଥା, ଡିଜିଟାଲାଇଜେସନ୍‌ ଏବଂ ପରୀକ୍ଷା ସଂସ୍କାର ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ କାର୍ଯ୍ୟ କରୁଛି। ନିକଟ ଅତୀତରେ CBSE ର ଅନ-ସ୍କ୍ରିନ ମାର୍କିଂ ସିଷ୍ଟମ (OSM), ପୁନଃମୂଲ୍ୟାଙ୍କନ ପ୍ରକ୍ରିୟା ଏବଂ ପରୀକ୍ଷା ପରିଚାଳନାକୁ ନେଇ ବୋର୍ଡ ବେଶ ଚର୍ଚ୍ଚାରେ ରହିଥିଲା। ଏଭଳି ସ୍ଥିତିରେ ନୂଆ ଅଧ୍ୟକ୍ଷଙ୍କ ନିଯୁକ୍ତି ସଂଗଠନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। କ୍ୟାବିନେଟ ନିଯୁକ୍ତି କମିଟି (ACC) ଦ୍ୱାରା ଅନୁମୋଦିତ ଏହି ନିର୍ଦ୍ଦେଶ ୨ ଜୁନ ୨୦୨୬ରେ ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି।