ଆଇଏମ୍‌ଏମ୍‌ଟିର ବଡ଼ ସଫଳତା :ଖଣି ବର୍ଜ୍ୟରୁ ନୂତନ ବସ୍ତୁ

ଭୁବନେଶ୍ୱର:ଖଣି କାର୍ଯ୍ୟ ପରେ ରହିଯାଉଥିବା ବର୍ଜ୍ୟ ପଦାର୍ଥ ପରିବେଶ ପାଇଁ ଗଭୀର ସମସ୍ୟା ସୃଷ୍ଟି କରୁଥିବା ବେଳେ, ଏହାକୁ ସଦୁପଯୋଗ କରିବାରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ୍ ମାଟେରିଆଲ୍ସ ଟେକ୍ନୋଲୋଜି (ଆଇଏମ୍‌ଏମ୍‌ଟି) ବିଶେଷଜ୍ଞମାନେ ଏକ ନୂତନ ସଫଳତା ଅର୍ଜନ କରିଛନ୍ତି।ମାଇନିଂ ୱେଷ୍ଟ୍ ବା ଖଣି ବର୍ଜ୍ୟ ଯାହା ବାଲି ବା ଚୂର୍ଣ୍ଣ ଆକାରରେ ରହିଥାଏ, ତାହା ବାୟୁ ଓ ଜଳ ପ୍ରଦୂଷଣକୁ ବଢ଼ାଇଥାଏ। ପ୍ରତିବର୍ଷ ବିଶ୍ୱରେ ଶତାଧିକ ବିଲିୟନ୍ ଟନ୍ ଏହି ବର୍ଜ୍ୟ ଉତ୍ପାଦିତ ହେଉଥିବା ବେଳେ, ଭାରତର ଓଡ଼ିଶା, ଝାଡଖଣ୍ଡ, ଛତିଶଗଡ଼ ଓ ଗୋଆରେ ଏହା ଗୁରୁତର ଚିନ୍ତାର କାରଣ ହୋଇପଡ଼ିଛି।ଏହି ପରିସ୍ଥିତିରେ ଆଇଏମ୍‌ଏମ୍‌ଟିର ବୈଜ୍ଞାନିକ ଦଳ ଖଣି ବର୍ଜ୍ୟକୁ ବ୍ୟବହାର କରି ଇଟ ଭଳି ଏକ ନୂତନ ବସ୍ତୁ ଉନ୍ନତି କରିଛନ୍ତି। ଏହା ଉଚ୍ଚ ତାପ ସହନ କରିପାରୁଥିବା ସହିତ ଶିଳ୍ପ କ୍ଷେତ୍ର ପାଇଁ ସୁଲଭ ଓ କାର୍ଯ୍ୟକାରୀ ବିକଳ୍ପ ଭାବେ ପରିଗଣିତ ହେଉଛି। ବକ୍ସାଇଟ୍ ୱେଷ୍ଟ୍ ରୁ ତିଆରି ଏହି ବସ୍ତୁ ଭବିଷ୍ୟତରେ ଶିଳ୍ପ ଉତ୍ପାଦନକୁ ଆଗକୁ ନେବ ବୋଲି ଆଶା କରାଯାଉଛି।ଏହି ପ୍ରଯୁକ୍ତିକୁ ବ୍ୟବହାରିକ ମାନ୍ୟତା ଦେବା ପାଇଁ ଆଇଏମ୍‌ଏମ୍‌ଟି ଓ ଏମ୍‌ଏସ୍ ଉତ୍କଳ ଭ୍ୟାନ୍‌ଗାର୍ଡ ଇଞ୍ଜିନିୟରିଂ ଆଣ୍ଡ୍ କନଷ୍ଟ୍ରକ୍‌ସନ୍ ପ୍ରାଇଭେଟ୍ ଲିମିଟେଡ୍ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଭୁବନେଶ୍ୱରସ୍ଥିତ ସିଏସଆଇଆର୍–ଆଇଏମ୍‌ଏମ୍‌ଟି ପରିସରରେ ଏହି ଚୁକ୍ତି ସମ୍ପନ୍ନ ହୋଇଥିଲା।କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଯୋଗଦେଇ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ ଯେ, ଏଭଳି ଆବିଷ୍କାର ଓଡ଼ିଶାକୁ ବୈଜ୍ଞାନିକ ଗବେଷଣାରେ ଏକ ପ୍ରମୁଖ କେନ୍ଦ୍ର ଭାବେ ପରିଚିତ କରାଉଛି।କାର୍ଯ୍ୟକ୍ରମରେ ଆଇଏମ୍‌ଏମ୍‌ଟି ନିର୍ଦ୍ଦେଶକ ରାମାନୁଜ ନାରାୟଣ, ବରିଷ୍ଠ ଅଧିକାରୀ ହେମନ୍ତ ଶର୍ମା ଓ ଅନ୍ୟାନ୍ୟ ବୈଜ୍ଞାନିକ ଓ ଶିଳ୍ପ ପ୍ରତିନିଧିମାନେ ଉପସ୍ଥିତ ଥିଲେ।

Related Posts